ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ପ୍ରାକ୍ତନ ସଭାପତି ବୃନ୍ଦାବନ ପଣ୍ଡାଙ୍କ ବିୟୋଗରେ ଆଜି ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଶ୍ରୀ ପଣ୍ଡାଙ୍କ ବିୟୋଗ ନୟାଗଡ଼ ଜିଲ୍ଲା ଆଇନ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି। ବାର ବେଞ୍ଚ ମିଳିତ ଶୋକ ସଭାରେ ସ୍ବର୍ଗତ ପଣ୍ଡାଙ୍କ ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟଙ୍କ ସମେତ ଅନ୍ୟନ୍ୟ ବିଚାର ବିଭାଗୀୟ ଅଧିକାରୀ ମାନେ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ।

ସଙ୍ଘ ସମ୍ପାଦକ ସ୍ବଦେଶ ମିଶ୍ର ବରିଷ୍ଠ ଆଇନଜୀବୀ ବ୍ରଜ କିଶୋର ପ୍ରଧାନ, ଅଜୟ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ମହାପାତ୍ର, ପ୍ରତାପ ନନ୍ଦ, ଅମୀୟ ପଟ୍ଟନାୟକ, ପ୍ରସନ୍ନ କୁମାର ରଥ, ଚତୁର୍ଭୁଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର, ମଦନ ମୋହନ ପଣ୍ଡା, ନାରାୟଣ ମହାପାତ୍ର, ଦୀନବନ୍ଧୁ ମହାନ୍ତି, ଅଜୟ ରାଉତ, ମମତା ମିଶ୍ର, ପ୍ରଶାନ୍ତ ମିଶ୍ର ଏବଂ ସଙ୍ଘ ଉପ ସଭାପତି ସନ୍ତୋଷ ରାଉତରାୟ ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଗୁଣାବଳୀ, ଫୌଜଦାରି ମୋକଦ୍ଦମା ପରିଚାଳନା ରେ ତାଙ୍କର କାର୍ଯ୍ୟଦକ୍ଷତା ଉପରେ ସ୍ମୃତିଚାରଣ କରିଥିଲେ। ଜିଲ୍ଲାରେ ହୋଇଥିବା ମାଓ ହମଲା ସ୍ବର୍ଗତ ପଣ୍ଡା ଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ କ୍ରାଇମବ୍ରାଞ୍ଚ ପକ୍ଷରୁ ମୋକଦ୍ଧମା ପରିଚାଳନା ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ।

ସ୍ବର୍ଗତ ପଣ୍ଡାଙ୍କ ପାର୍ଥିବ ଶରୀର ଗତ କାଲି ଅପରାହ୍ନରେ ଜିଲ୍ଲା ଅଦାଲତରେ ପହଂଚିବା ପରେ ବିଚାର ବିଭାଗୀୟ ଅଧିକାରୀ ଏବଂ ଆଇନଜୀବୀ ଗଣ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ବର୍ଗତ ପଣ୍ଡାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ଓକିଲମାନେ କୋର୍ଟ କାର୍ଯ୍ୟରେ ସାମିଲ ହୋଇ ନଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସଙ୍ଘ ପକ୍ଷରୁ ସମବେଦନା ଜଣାଯାଇଛି।