ଡ୍ୟାନ୍ସ ନୟାଗଡ ଡ୍ୟାନ୍ସରେ ନୈନା ତନୟା ଡ୍ୟାନ୍ସ ଟପ୍ପର

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ଆନୁକୁଲ୍ୟରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ସ୍ଥାନୀୟ ନୀଳମାଧବ ହୋଟେଲରେ ଏହା ଅନୁଷ୍ଠିତ ହୋଇଥିଲା। ସେମି ଫାଇନାଲରେ ଥିବା ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନୈନା ତନୟା, ସୃଷ୍ଟି ମୟୀ ସାହୁ ଓ ସାଇଶ୍ରୀ ମହାପାତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ।

ନୈନା ତନୟା ନୟାଗଡ ଡ୍ୟାନ୍ସ ଟପ୍ପର ଭାବେ ବିଜୟୀ ହୋଇ ଟ୍ରଫି ସହ ପ୍ରଶଂସା ପତ୍ର ଏବଂ ୧୦ ହଜାର ଟଙ୍କା ପୁରସ୍କାର ରାଶି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଦ୍ଵିତୀୟ ବିଜେତାଙ୍କୁ ୭ ହଜାର ଟଙ୍କା ଟ୍ରଫି ଓ ପ୍ରଶଂସା ପତ୍ର ଏବଂ ତୃତୀୟ ବିଜେତାଙ୍କୁ ୫ ହଜାର ଟଙ୍କା ଟ୍ରଫି ଏବଂ ପ୍ରଶଂସାପତ୍ର ଅତିଥି ବୃନ୍ଦ ପ୍ରଦାନ କରିଥିଲେ । ଅଧ୍ୟାପିକା ସ୍ମିତା ସ୍ୱାଇଁ, କ୍ଷଣପ୍ରଭା କର ଏବଂ ସୋନାଲି ସୁଚିଶ୍ମିତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନୟାଗଡର କଳା, ସାହିତ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଚାରକ ଭାବେ ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ରାଜ ଅଭିନେତ୍ରୀ ଟିକି ରଥ, ଓ ଗୁଂଜନ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଅତିଥି ସେମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ। ଏସ ଏସ ବି ବଜାଜ ଏହି କାର୍ଯକ୍ରମକୁ ସହଯୋଗ କରିଥିବା ବେଳେ ସମାଜସେବୀ ଶଶଧର ପଣ୍ଡା ଓ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ମଧ୍ୟ ଏହି କାର୍ଯକ୍ରମକୁ ସଫଳ କରାଇବା ଦିଗରେ ସାହାର୍ଯ୍ୟ କରିଥିଲେ । ସୃଜନିକାର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ ଏବଂ ସାଗର ଶୂରଦେଓ ଓ ଚିନ୍ମୟୀ ଲୋପାମୁଦ୍ରା କାର୍ଯ୍ୟକ୍ରମ ପରିଚାଳନାରେ ସାହାର୍ଯ୍ୟ କରିଥିଲେ।

ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିବା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ଅଧ୍ୟାପକ ଡ଼ ଆଶୁତୋଷ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ରଙ୍କୁ ମଧ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

Related posts