ମରାମତି ହେଉନି ଭଙ୍ଗା ଗେଟ, ଗାଈଗୋରୁଙ୍କ ଆଡ଼ାସ୍ଥଳୀ ପାଲଟିଛି ନୟାଗଡ଼ ରେଳଷ୍ଟେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ଷଣା ବେକ୍ଷଣ ଅଭାବ ତଥା ରେଳ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବେ ବୁଲା ଗାଈଗୋରୁଙ୍କ ଆଡାସ୍ଥଳୀ ପାଲଟିଛି। ସେହିପରି  ସଫେଇ କାର୍ଯ୍ୟ ଠିକ ଭାବରେ ହେଉ ନଥିବାରୁ ଷ୍ଟେସନ ପରିସର ମଧ୍ୟରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହେବା ସହିତ ବିଭିନ୍ନ ଅନାବନା ଗଛଲତା ଷ୍ଟେସନ ଚତୁର୍ପାଶ୍ୱରେ ଉଠି ଲଟାବୁଦାରେ ପରିପୂର୍ଣ୍ଣ ହେବାରେ ଲାଗିଛି। ବର୍ଷା ଦିନେ ଏହି ଲଟାବୁଦା ମଧ୍ୟରୁ ସାପ ବିଛା ଆଦି ସରୀସୃପ ଜାତୀୟ ଜୀବଜନ୍ତୁ ବାହାରି ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଠାରେ କେହି ସ୍ଥାୟୀ ସଫେଇ କର୍ମଚାରୀ ନଥିବାରୁ ଏପରି ପରିବେଶ ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି।ରେଳ ବିଭାଗ ପକ୍ଷରୁ ଷ୍ଟେସନ ପରିମଳ ଏବଂ ସଫେଇ ବାବଦକୁ ମାସିକ ମାତ୍ର ୮ହଜାର ଟଙ୍କା ଅନୁଦାନ ରାଶି ମିଳୁଥିବା ବେଳେ ଏହି ଟଙ୍କାରେ ଅସ୍ଥାୟୀ ପରିମଳ କର୍ମଚାରୀଙ୍କ ଦରମା, ଫିନାଇଲ, ବ୍ଲିଚିଙ୍ଗ ପାଉଡର, ଝାଡ଼ୁ ଆଦି କିଣିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି ସ୍ୱଳ୍ପ ଅନୁଦାନରେ ରେଳ ଷ୍ଟେସନର ପରିମଳ ଏବଂ ରକ୍ଷଣା ବେକ୍ଷଣକାର୍ଯ୍ୟ କିପରି ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଫାଟକ ଦୀର୍ଘ ଦିନ ଧରି ଭାଙ୍ଗି ଯାଇଥିବା ବେଳେ ଏହାକୁ ମରାମତି କରାଯାଉ ନାହିଁ।  ଫଳରେ ଷ୍ଟେସନ ପରିସରକୁ ଲୋକମାନେ ଟୁ-ହୁଇଲର,ଅଟୋ, କାର ଆଦି ନେଇ ଅନାୟାସରେ ଯା’ଆସ କରୁଛନ୍ତି। ସେହିପରି ଫାଟକ ନଥିବାରୁ ବୁଲା ଗାଈଗୋରୁ,ଷଣ୍ଢ, କୁକୁରମାନଙ୍କର ଷ୍ଟେସନ ମଧ୍ୟରେ ଉତ୍ପାତ ବଢ଼ୁଥିବାରୁ ରେଳଯାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟ ପକ୍ଷରେ ଗାଈଗୋରୁଙ୍କ ଗୋବର ଷ୍ଟେସନ ମଧ୍ୟରେ ଏଣେତେଣେ ପଡୁଥିବା ବେଳେ ଏହାକୁ ସଫା କରିବା ପାଇଁ କେହି ନାହାନ୍ତି। ଫଳରେ ଷ୍ଟେସନ ପରିସର ଦୁର୍ଗନ୍ଧମୟ ହେଉଥିବା ବେଳେ ବୁଲା କୁକୁର, ଗାଈମାନଙ୍କ ଦ୍ୱାରା ଅଇଁଠା ଖଲିପତ୍ର, କାଗଜ, ଜରି, ଖାଦ୍ୟ ପୁଡ଼ିଆ ଆଦି ଏଣେତେଣେ ପଡ଼ି ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଦାବି ସତ୍ୱେ ଏହି ସବୁ ସମସ୍ୟା ଗୁଡ଼ିକୁ ବିଭାଗ ପକ୍ଷରୁ ସମାଧାନ କରାଯାଉ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ନୂତନ ଫାଟକ ସ୍ଥାପନ ତଥା ଷ୍ଟେସନ ପରିସରରେ ଉଠିଥିବା ଅନାବନା ଗଛ, ବୁଦା ତଥା ଅଳିଆ ଆବର୍ଜନା ଗୁଡ଼ିକୁ ସଫା କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯିବା ସହିତ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

Related posts