ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ପୈାର ପରିଷଦ ନଗର ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅମୁଲ୍ୟ କୁମାର ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ସେ ଇହଳିଳା ସମ୍ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଘଟିଥିଲା । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଅମାୟିକ, ପରପୋକାରୀ ମଣିଷ ଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବୋରିଗିନା ନିକଟସ୍ଥ ଓଳାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମହାନ୍ତି ପୁଲିସ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଅଭିଭୁକ୍ତ ପୁରୀ ଜିଲ୍ଲାରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଥିଲେ । ପୁରୀ ଟାଉନଥାନା, ସୁମଦ୍ରକୂଳ ଥାନା, ବୋଲଗଡ଼ ଥାନା ଓ ନୟାଗଡ଼ ଥାନାରେ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ସେ ସମୟରେ ଅନେକ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ସାବାଡ଼ କରିଥିଲେ । ଅବସର ସମୟରେ ସେ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟ କରିଥିଲେ । ଦୁଇ ଦୁଇ ଥର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ନୟାଗଡ଼ ସହର ୩ନଂ ୱାର୍ଡ଼ ଲକ୍ଷ୍ମଣନଗରରେ ସେ ସ୍ଥାୟୀ ବାସିନ୍ଦା ଭାବେ ଅବସ୍ଥାନ କରୁଥିଲେ । ଅସବର ପରେ ନୟାଗଡ଼ ସହରରେ ସମାଜସେବା ତଥା ବିଜେଡି ସାଂଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ବରିଷ୍ଠ ନାଗରିକ ସଂଘ ସଭାପତି ଦାୟିତ୍ୱ ସମାପନ କରି ସୁନାମ ଅର୍ଜ୍ଜନ କରିଛନ୍ତି । ବିଜୁ ଜନତା ଦଳ ସଂଗଠନକୁ ସେ ମଜବୁତ କରିବା ସହ ଗତ ପୈାର ନିର୍ବାଚନରେ ବିଜେଡି ୧୬ଟି ୱାର୍ଡ଼ କାଉସନସିଲର ବିଜୟୀ ହୋଇଥିଲେ । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗଭୀର ଶୋକ ବ୍ୟକ୍ତି କରିଛନ୍ତି । ତାଙ୍କ ଭଳି ଜଣେ ଦୃଢ଼ ସଂଗଠକଙ୍କ ପରଲୋକରେ ଦଳର ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି । ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ବିଧାୟକ କାମନା କରିଛନ୍ତି । ବିଧାୟକ ପରାମର୍ଶ କ୍ରମେ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ସ୍ୱୟଂପ୍ରଭା ମିଶ୍ର, ଅଳକା ମଞ୍ଜରୀ ନାୟକ, ପ୍ରଭାସିନୀ ନନ୍ଦଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି ।
ବିଜେଡି ନଗର ସଭାପତିଙ୍କ ପରଲୋକ,
ଗଭୀର ଶୋକବ୍ୟକ୍ତ କଲେ ବିଧାୟକ
