ଜିଲ୍ଲାସ୍ତରୀୟ ଆନ୍ଦୋଳନ ପାଇଁ ଶିକ୍ଷକ ସଂଘର ଜୋରଦାର ପ୍ରସ୍ତୁତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ଚଳିତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ଜିଲ୍ଲାସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବେ ବୋଲି ଜଣା ପଡିଛି। ଆନ୍ଦୋଳନରେ ଭାଗ ନେଉଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ ଅନଲାଇନ ଉପସ୍ଥାନ ବ୍ୟବସ୍ଥା ଲାଗୁ କରି ନଥିବା ବେଳେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବଳ ଶିକ୍ଷକ ମାନଙ୍କ କ୍ଷେତ୍ରରେ କଣ ପାଇଁ ଲାଗୁ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଅନଲାଇନ ଉପସ୍ଥାନ ପାଇଁ ଆବଶ୍ୟକ ଉପକରଣ, ୱାଇଫାଇ ସେବା, ଡାଟା ଏଣ୍ଟ୍ରି ଅପରେଟର ବିଦ୍ୟାଳୟ ଗୁଡିକୁ ଯୋଗାଇ ନଦେଇ ସରକାର କେବଳ ଅନଲାଇନ୍ ଉପସ୍ଥାନ ପାଇଁ ବାଧ୍ୟ କରୁଥିବାରୁ ଶିକ୍ଷକ ମାନେ ଏହାର ପ୍ରତିବାଦ କରିବା ସହିତ ଆସନ୍ତା ୧୩ ତାରିଖରେ ଜିଲ୍ଲା ସଦର ମହକୁମାରେ ଏକ ବିଶାଳ ରାଲି ଏବଂ ପ୍ରତିବାଦ ସଭାର ଆୟୋଜନ କରାଯାଇଛି। ସେହିଦିନ ମଧ୍ୟାହ୍ନରେ ସମସ୍ତ ବର୍ଗର ଶିକ୍ଷକ ମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇ ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ପ୍ରତିବାଦ ସଭା କରିବା ସହିତ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ସହିତ ସମସ୍ତ ବିଧାୟକଙ୍କୁ ଘେରାଉ ତଥା ରାଜ୍ୟସ୍ତରରେ ଏହାକୁ ଜୋରଦାର କରାଯିବା ପାଇଁ ଶିକ୍ଷକ ସଂଘ ମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି।

Related posts