ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି, କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ।
ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୂର୍ଣ୍ଣାଙ୍ଗ ପେନସନର କାଗଜପତ୍ର ପ୍ରଦାନ କରିଆସୁଛନ୍ତି। କ୍ରମାନ୍ୱୟରେ ଏହି ଜନହିତକର କାର୍ଯ୍ୟ ହୋଇଆସୁଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରେ ଥିବା ବିଭିନ୍ନ ବିଦ୍ୟାଳୟର ଚାରି ଜଣ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚୁଇଟି ଆଦି ପ୍ରଦାନ କରି ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କ ଅବସରକାଳୀନ ଜୀବନ ସୁଖମୟ ଓ ସୁସ୍ଥ ରହୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅବସର ଗ୍ରହଣ କରିଥିବା ସରକାରୀ ଜନତା ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାତ ମାନସିଂହ, ଅଶ୍ୱସ୍ଥପଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର ଓ ହିନ୍ଦୀ ଶିକ୍ଷୟିତ୍ରୀ ରେଣୁବାଳା ରଥ ଏବଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କୋସ୍କାର କନିଷ୍ଠ ସହାୟକ ବିଜୟ କୁମାର ମହାରଣା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏ ଦିନଟି ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ପେନସନ୍ ବିଭାଗର କନିଷ୍ଠ ସହାୟକ ଋତୁରାଜ ସୋମନାଥ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଗତବର୍ଷ ମଇ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇ ସରକାରଙ୍କ ଯୋଜନାର ସଫଳ ରୂପାୟନ କରାଯାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।