ନୟାଗଡ ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଶେଷ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ରାଜ୍ୟରେ ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ ଚିକିତ୍ସା ରେ ଅନ୍ତର୍ଭୁକ୍ତ କରିବା ସହିତ ନୟାଗଡ ଜିଲ୍ଲାରେ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ଜିଲ୍ଲାର ବିଧାୟକମାନଙ୍କ ସହିତ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ନୟାଗଡ ଜିଲ୍ଲାର ପ୍ରାୟ ୧୩୦ ଦୁର୍ନୀତି ଭ୍ରଷ୍ଟାଚାର ସଂକ୍ରାନ୍ତୀୟ ମୋକଦ୍ଦମା ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ବିଚାରଧୀନ ରହିଛି ଏବଂ ମାସକୁ ଗୋଟିଏ ଦିନ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ନୟାଗଡ ରେ ସର୍କିଟ ଅଦାଲତ କରୁଛନ୍ତି ତେଣୁ ନୟାଗଡ ରେ ଭିଜିଲାନ୍ସ ଅଦାଲତ ଖୋଲିବାର ପ୍ରାସଙ୍ଗିକତା ରହିଛି ବୋଲି ଶ୍ରୀ ଦାଶ କହିଛନ୍ତି।

୧୦ ବର୍ଷ ଯାଏଁ ଦଣ୍ଡାଦେଶ କ୍ଷମତା ସମ୍ପନ୍ନ ଉପଖଣ୍ଡ ସ୍ତରୀୟ ସହକାରୀ ଦୌରା ଜଜ ପଦବୀ ସୃଷ୍ଟି କରିବା ପାଇଁ ମାନ୍ୟବର ହାଇକୋର୍ଟ, ଆଡ଼ଭୋକେଟ ଜେନେରାଲ ଏବଂ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତପ୍ରକାଶ ପାଇଥିଲା। ଏହି ବିଶେଷ ବୈଠକରେ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ସ୍ବଦେଶ ମିଶ୍ର, ଦଶପଲ୍ଲା ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଖଣ୍ଡପଡା ଓକିଲ ସଙ୍ଘ ସଭାପତି ସଂଗ୍ରାମ କେଶରୀ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, କୋଷାଧ୍ୟକ୍ଷ ମନୋଜ ମିଶ୍ର, ରଣପୁର ଓକିଲ ସଙ୍ଘ ସଭାପତି ଶତ୍ରୁଘ୍ନ ପାଇକିରା, ଓଡଗାଁ ଓକିଲ ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ବଟକୃଷ୍ଣ ମିଶ୍ର, ନୟାଗଡ ଓକିଲ ସଙ୍ଘ ଯୁଗ୍ମ ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱେଶ ରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଚିତ୍ତରଞ୍ଜନ ପ୍ରଧାନ, ବିଭୁଦତ୍ତ ସାହୁ, ନିରାକାର ମହଲ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସଂଘର ଉପସଭାପତି ସନ୍ତୋଷ କୁମାର ରାଉତରାୟ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Related posts