ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ଜଣାଇବାକୁ “ପରାକ୍ରମ ଶୋଭାଯାତ୍ରା”ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ନୟାଗଡ଼ ସହର ଦୁର୍ଗାପ୍ରସାଦ ପଡ଼ିଆ ଠାରୁ ସକାଳ ୮ଘଟିକାରେ ଆରମ୍ଭ ହୋଇ ପୂରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ଯାତ୍ରା କରିଥିଲା। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଉପସ୍ଥିତ ରହି ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ ସମ୍ମାନାର୍ଥେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକ୍ରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ପୁଲିସ ବାହିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଶୋଭ଼ାଯାତ୍ରା ସମାପ୍ତ ହେବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
