ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷି ଦିବସ ପାଳନ ସମାରୋହ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ନବଘନପୁର ଠାରେ ଡ଼ଃ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ , ଓଡିଶା ସରକାର)ଙ୍କ କରକମଳରେ ଅଖି ମୁଠି ଅନୁକୂଳ, ଭୂମି ପୂଜନ, ଭୂମି କର୍ଷଣ ସକାଳ ଘ.୭.୩୦ମି.  ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ପରେ ଜିଲ୍ଲାପରିଷଦର ସୃଜନୀ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଥିବା ବେଳେ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡ଼ା, ଡ଼ଃ ଅରୁଣ କୁମାର ସାହୁ, ବିଧାୟକ ନୟାଗଡ, ସମ୍ମାନୀୟ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀୟ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଜିଲ୍ଲା କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୃଷକ ହେଉଛନ୍ତି ସମାଜର  ମେରୁଦଣ୍ଡ। ଏହି ଦିବସରେ ଅଖି ମୁଠି ଅନୁକୂଳ କରାଯାଇ ଚାଷକୁ ଦ୍ବିଗୁଣିତ କରିବା ପାଇଁ ଭୂମି ପୂଜା କରାଯାଇଥାଏ। ମାନ୍ୟବର ମୁଖ୍ୟମନ୍ତ୍ରୀ CM -କିଷାନ କାର୍ଡ ବଣ୍ଟନର ବ୍ୟବସ୍ଥା କରିଛନ୍ତି। ଗାଁ’ର ଆର୍ଥିକ ଅବସ୍ଥା ସୁଦୃଢ କରିବା ପାଇଁ ସରକାର ବହୁତ ବ୍ୟବସ୍ଥା କରିଛନ୍ତି। ସେ ମଧ୍ୟ ଆହୁରି କହିଛନ୍ତି ଯେ ପ୍ରତି ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ମଚାରୀ ସଂଖ୍ୟା ବଢିବା, ବେଡ଼ ସଂଖ୍ୟା ୩୦୦ ରୁ ଅଧିକ ବଢାଇବା ପାଇଁ ବ୍ୟବସ୍ଥା କରାଯାଉଛି। ନୟାଗଡ ଜିଲ୍ଲାରେ I.C.Uର ବ୍ୟବସ୍ଥା ଏବଂ ସେଥିରେ ୧୦ ଜଣିଆ ବେଡ଼ର ବ୍ୟବସ୍ଥା କରାଯିବାର ରହିଛି। ନାରୀଶକ୍ତିଙ୍କୁ ସଶକ୍ତ ଓ ଆତ୍ମ ନିର୍ଭର କରିବା ପାଇଁ ଏବଂ ଆମ ସରକାରଙ୍କ ଲକ୍ଷପତି ଦିଦି ସଂଖ୍ୟା ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରହିଛି।

ସେହିପରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ତାଙ୍କ ବକ୍ତବ୍ୟରେ କହିଥିଲେ ଯେ  ନୟାଗଡ ଜିଲ୍ଲାର ମାଟି  ହେଉଛି ଉର୍ବର। ଅତୀତରେ ଧନୀ ଲୋକ ସେହିମାନେ, ଯେଉଁ ମାନଙ୍କର ପାଳଗଦା ବେଶୀ ଏବଂ ଧାନ କେତେ ଭଲ ହେଇଛି ତାହା ସେହି ପାଳଗଦାରୁ ଜଣାପଡେ। ଖଣ୍ଡପଡ଼ାର ଇକିରି ମୁଗ ପୃଥିବୀ ପ୍ରସିଦ୍ଧ ଏବଂ ଏଠାରେ ଯାହା ଅଛି ତାହା ରଖିବାକୁ ଜାଗା ନାହିଁ , ସେଥିପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଜଳସେଚନର ସୁବିଧା, ସୁଗାର ଫାକ୍ଟ୍ରି ସହିତ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଅନୁରୋଧ କରିଥିଲେ।

ସେହିପରି ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେପରି ଯବାନମାନେ ଦେଶପାଇଁ ଲଢ଼ୁଛନ୍ତି ସେହିପରି କୃଷକ ମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି  ଓ କୃଷକ ମାନଙ୍କୁ ଉନ୍ନତ ଜ୍ଞାନ କୌଶଳ, ଜୈବ ପଦ୍ଧତି ରେ ଚାଷ କରିବା ପାଇଁ  ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ କହିଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚାଷ ପ୍ରମୁଖରେ ଆୟ ଉତ୍ପାଦନ ଯେତିକି ଲକ୍ଷ୍ୟ ଥିଲା ତାହାଠାରୁ ୩ ଲକ୍ଷ ମେଟ୍ରିକ ଟନ ଅଧିକ ଧାନ ଅର୍ଜନ କରାଯାଇଛି।

ଏହା ପରେ ସମ୍ମାନୀୟ ଜିଲ୍ଲାପାଳ  କହିଲେ ଯେ ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏହି ମାଟି ଉର୍ବର ହୋଇଥିବାରୁ ଏଠାରେ ଧାନ ଓ ଆଖୁର ଚାଷ ବହୁଳ ଭାବରେ କରାଯାଇଥାଏ। ଏଠାରେ ଆଖୁରେ Glucose ର ମାତ୍ର। ଅଧିକ ଥିବାରୁ ଏହାର ସ୍ୱତନ୍ତ୍ରତା ରହିଛି ବୋଲି ଦର୍ଶାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡିଶାଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ CM–କିଷାନ ପ୍ରୋତ୍ସାହନ ରାଶି ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ପରିଶେଷରେ ଉପ-ଜିଲ୍ଲା କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ।

Related posts