ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତୀକ ଧାରଣା

ଆନ୍ଦୋଳନ ସମୟରେ ଅଫିସକୁ ଆସିଲେନି ଜିଲାପାଳ ଓ ଏଡିଏମ, ପ୍ରତିବାଦରେ ଅପ୍ରେଲ ୯ରେ ହେବ ଜିଲ୍ଲାସ୍ତରିୟ ଆନ୍ଦୋଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ  ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧି କାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ(ଏଡିଏମ) ବୁଧବାର ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଆସି ନଥିଲେ। ଉପ ଜିଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼ ତହସିଲଦାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଂଗେ ସଂଗେ ପଳାଇ ଯାଇଥିଲେ।  ଶେଷରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହୃତ କରାଯାଇଥିଲା।

ତେବେ ଜିଲାପାଳ ଆନ୍ଦୋଳନକୁ ଡରି କାର୍ଯ୍ୟଳୟକୁ ଆସି ନଥିବାର ପ୍ରତିବାଦରେ ସଙ୍ଘ ଜିଲା ସ୍ତରୀୟ ଆନ୍ଦୋଳନ କରିବାକୁ ନିସ୍ପତି ନେଇଛି। ଅପ୍ରେଲ ୯ସକାଳ ୯ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ସବୁ ସାମ୍ବାଦିକ ଅନର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଦେବେବୋଲି ଅନୁରୂପ ଭାବେ ସ୍ଥିର କରିଛନ୍ତି। ଆନ୍ଦୋଳନରେ ବରିଷ୍ଟ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ସୁବାସ ମହାପାତ୍ର, ସନ୍ଦିପ ଲେଙ୍କା, ଶୁଭେନ୍ଦୁ ଦାସ, ଜୟେନ୍ଦ୍ର ବେହେରା, ସତ୍ୟ ନାରାୟଣ ମିଶ୍ର, ପୁରୁଷୋତମ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ,  ରଞ୍ଜନକୁମାର ବେହେରା, ବିକ୍ରମ ସ୍ୱାଇଁ, ଜିତୁନ କୁମାର ମହାପାତ୍ର, ଦୀପକ ନାୟକ, ବିଭୁତି ଭୁଷଣ ପଟ୍ଟନାୟକ, ଶିବ ନାରାୟଣ ଦାସ, ଯଯାତି କେଶରୀ ମହାପାତ୍ର, ଏମ. ଆଉରଙ୍ଗଜେବ ପ୍ରମୁଖ ସାମିଲ ହୋଇଥିଲେ।

ଏନେଇ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ କୁହନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ଆମେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହ ଭେଟିଥିଲୁ। ତେବେ ଜିଲ୍ଲାପାଳଙ୍କ ବ୍ୟବହାର ଆମକୁ ଭଲ ଲାଗି ନଥିଲା। ଶେଷରେ ଆମେ ଆଜି ଆନ୍ଦୋଳନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲୁ। ହେଲେ ପ୍ରତୀକ ଧାରଣା ନେଇ ଜିଲାପାଳ ଅବଗତ ଥିଲେବି ଜିଲ୍ଲାପାଳ ଅଫିସକୁ ଆସିଲେନି କି ଆମ୍ଭ ଧାରଣା ସ୍ଥଳକୁ ଆସିଲେନି। ଆମେ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହାର କଲୁ। ଅନ୍ୟପକ୍ଷେ ଅପ୍ରେଲ ୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସବୁ ସାମ୍ବାଦିକ ଓ ବିଜେପି, ବିଜେଡି, କଂଗ୍ରେସ ସମେତ ରାଜନୈତିକ ଦଳକୁ ସାମିଲ କରି ଆନ୍ଦୋଳନକୁ ତ୍ୱରାନ୍ବିତ କରିବୁ ବୋଲି କହିଛନ୍ତି।

Related posts