ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି । ଅପରାହ୍ନରେ ମଞ୍ଚ ପୂଜା କରାଯାଇ ସ୍ଥାନୀୟ କଳାକାର ଓ କୁନି କୁନି ପ୍ରତିଭାମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ କନ୍ଧମାଳ ସାଂସଦ ତଥା ନୂଆଗାଁ ମହାତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳାର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, କମିଟିର ସମ୍ପାଦକ ଶିବରାମ ମହାପାତ୍ର, ବିଜେପି ନେତା ରାଘବ ମଲ୍ଲିକ, ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ବ୍ଲକ ଉପାଧ୍ୟକ୍ଷ ପରଶୁରାମ ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା । ଅତିଥିମାନେ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉପରେ ବକ୍ତବ୍ୟ ରଖିଥିଲେ। ସଭା କାର୍ଯ୍ୟ ଶେଷ ହେବାପରେ ଓଡ଼ିଶୀ ନୃତ୍ୟ ଓ ଆସାମର ବିହୁ ନୃତ୍ୟ ପରିବେଷଣ ହୋଇଥିଲା। ବିଶେଷ ଭାବେ ଓଡ଼ିଶାର କମେଡି କିଙ୍ଗ୍ ପପୁ ପମପମ୍ ଓ ସାଥୀଙ୍କ ମେଲୋଡି ଦର୍ଶକଙ୍କ ମନମୋହିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଉତ୍ତମ ବ୍ୟବସ୍ଥା କରାଯାଇଥିଲା।

Related posts