ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ। ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଦାସ ଏବଂ ତାଙ୍କ ପତ୍ନୀ ଆଶା ଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ, ସେମାନଙ୍କୁ ନ ଦେଖ‌ିଲେ ଚିନ୍ତା କରାଯାଇ ପାରିବନି । ହଠାତ୍ ପରିବାର ଭିତରେ ଉଠିଲା ଝଡ଼ । ଏକ ଭୁଲ ବୁଝାମଣାକୁ କେନ୍ଦ୍ର କରି ମାନସିକ ସନ୍ତୁଳନରେ ଛଟପଟ ହେଲେ ଦୁଇଟି ଆତ୍ମା ।  ସୃଷ୍ଟି ସ୍ରଷ୍ଟାର ମାନସିକ ପ୍ରତିକ୍ରିୟାର ପ୍ରତିଫଳନ ସ୍ରଷ୍ଟାର ଅନୁଭୂତିର ଅନୁଶୀଳନ, ସେଠି କୌଣସି ବାଧ୍ୟବାଧକତା ଅବା ପରାମର୍ଶର ଆବଶ୍ୟକ ନଥାଏ, ବେଳେବେଳେ ଜୀବନରେ ଅବା କାହାଣୀରେ ଏମିତି ଝଡ଼ ଆସେ। ଏହିଭଳି ଏକ ବିଶ୍ୱାସ ଅବିଶ୍ୱାସ ଏବଂ ଭାବପ୍ରବଣତାର ଆତ୍ମବିଶ୍ୱାସ ମଧ୍ୟରେ ଗତି କରିଛି ନାଟକ “ବିଶ୍ଵାସର ଆତ୍ମଲିପି”। ଶେଷରେ ଭୁଲ ବୁଝାମଣାରେ ପଡ଼େ ପୂର୍ଣ୍ଣଛେଦ ପୁଣି ଫେରି ଆସେ ପୂର୍ବ ପରିବେଶ। ଏପରି ଏକ ପରିବାର କୈନ୍ଦ୍ରିକ ନାଟକରେ ସମ୍ପୂର୍ଣ୍ଣ ମଜ୍ଜି ଯାଇଥିଲେ ପ୍ରେକ୍ଷାଳୟରେ ଉପସ୍ଥିତ ଭରପୁର ଦର୍ଶକ। ନାଟ୍ୟଧାରା, ନୟାଗଡ଼ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ରାଜୀବ ପାଣି ଏବଂ ସଙ୍ଗୀତ ନିର୍ଦ୍ଦେଶକ ଡ. ସୁଶାନ୍ତ ପାଣି ଯୋଗଦାନ କରିଥିଲେ। ନାଟକ ‘ବିଶ୍ୱାସର ଆତ୍ମଲିପି’କୁ ଡ.ସୁଧାଂଶୁ ନାୟକ ରଚନା କରିଥିବା ବେଳେ ରାଜୀବ ପାଣି ନିର୍ଦ୍ଦେଶନା ଏବଂ ଡ.ସୁଶାନ୍ତ ପାଣି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ବିଭିନ୍ନ ଭୂମିକାରେ ରାଜୀବ ପାଣି, ରାଜକୁମାର ମହାନ୍ତି, ଗଙ୍ଗାଧର ଜେନା,ବିଶ୍ଵଜିତ୍ ନାୟକ, କିଶୋରୀ ମୋହନ କର, ବବି ମହାଳିକ, ସତ୍ୟମ୍ ପାଣି, ପଂଚାନନ ମହାନ୍ତି ଓ  ସ୍ଵାଗତିକା ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିଲେ। ଆସନ୍ତା କାଲି ଅନ୍ତିମ ଦିବସରେ ଓଡ଼ିଶାର ସୁପ୍ରସିଦ୍ଧ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ସୋମରସ’ ମଞ୍ଚସ୍ଥ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Related posts