ଇଶାନେଶ୍ୱର ବସ୍ତିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର, ଶତାଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଯଶୋଦା ମା ଫାଉଣ୍ଡେସନ ଓ ଭୂମିକା ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଇଶାନେଶ୍ୱର ବସ୍ତିର କମ୍ୟୁନିଷ୍ଟ ସେଣ୍ଟରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଯୁବ ନେତା ମନୋଜ କୁମାର ସାହୁ ଓ ଇଶାନେଶ୍ୱର ବସ୍ତିର ସଭାପତି ରାଜେଶ ବେହୁରିଆ ଉପସ୍ଥିତ ଥିଲେ।

ଶିବିରରେ ଶତାଧିକ ସ୍ଥାନୀୟ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଭୂମିକା ଚକ୍ଷୁ ପ୍ରତିଷ୍ଠାନର ପାରାମେଡିକାଲ ସଦସ୍ୟ, କମ୍ୟୁନିଟି ସ୍ୱାସ୍ଥ୍ୟ ସଂଗଠକ ଓ ଟେକ୍ନିକାଲ ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବାରେ ସହଯୋଗ କରିଥିଲେ।

ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କା ଉପସ୍ଥିତ ରହି ଶିବିରର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଭଳି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ଦ୍ୱାରା ବସ୍ତି ଅଞ୍ଚଳର ଲୋକମାନେ ଉପକୃତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ପ୍ରଶଂସା କରାଯାଇଛି।

Related posts