ଉତ୍ତମ କର୍ମର ଉତ୍ତମ ଫଳ କହିଲେ ମୁଖ୍ଯ ଅତିଥି
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ର ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଉତ୍ତମ କର୍ମର ଉତ୍ତମ ଫଳ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହିତ ଶିଷ୍ଯମାନଙ୍କର ସଫଳତା ହେଉଛି ଗୁରୁଙ୍କ ପରିଚୟ ବୋଲି କହିଥିଲେ।

ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଥାଳିରେ ଧୂପ ଦୀପ ଚନ୍ଦନ ତିଳକ ନେଇ “ହେ ଗୁରୁ ତୁମେ ମଙ୍ଗଳମୟ” ସଂଗୀତ ଗାନ କରି ଗୁରୁ ପୂଜନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରୋଟାରୀ କ୍ଳବ୍ ତରଫରୁ ବିଦ୍ଯାଳୟର ପ୍ରାକ୍ତନ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଶ୍ରଦ୍ଧା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଭବ୍ଯ ଓ ଦିବ୍ଯ କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍ ର ସଭାପତି ବାସୁଦେବ ସାହୁ ଓ ସମ୍ପାଦକ ଦିଲ୍ଲିପ କୁମାର ମିଶ୍ର ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ଯ ରଖିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ଯତ ନିର୍ମାଣ କରୁଥିବା ଗୁରୁଜୀ ଗୁରୁମା ମାନଙ୍କୁ ଗୁରୁଦିବସ ରେ ପୂଜନ କରିବା ଓ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଆମ ପାଇଁ ଗୌରବର କଥା ବୋଲି ରୋଟାରୀ କ୍ଳବ୍ ସଭାପତି ମତବ୍ୟକ୍ତ କରିଥିଲେ। ରୋଟାରୀ କ୍ଳବ୍ ନୟାଗଡ଼ ର ବରିଷ୍ଠ ସଦସ୍ଯ ଜି. ରଶ୍ମିରାଜ, ଶ୍ରୀକୁମର ରଥ, ଗୁଣନିଧି ମହାପାତ୍ର ,ଅବିନାଶ ସାହୁ ଓ ପ୍ରାକ୍ତନ ସଭାପତି ବସିରନ୍ ବିବି ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁପୂଜାର ତାପ୍ତର୍ଯ୍ଯ ବିଷୟରେ ବର୍ଣ୍ଣନା କରିବା ସହିତ “ଶିକ୍ଷକ ମାନେ ଯୁଗ ନିର୍ମାତା ଓ ଛାତ୍ର ମାନେ ରାଷ୍ଟ୍ର ଭାଗ୍ଯ ବିଧାତା” ବୋଲି ଆଲୋଚନା କରିଥିଲେ। ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ପରିଶେଷରେ ବିଦ୍ଯାଳୟ ର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

