ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୫ ଉଦ୍‌ଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ ୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶୁଭକାନ୍ତ ପାଢ଼ୀ, ନାଟ୍ୟ ନିର୍ଦ୍ଦେଶିକା ସୌନିକା ସାହୁ ପ୍ରମୁଖ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଛଅଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍‌ଘାଟନୀ ଦିବସରେ ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର ପ୍ରସ୍ତୁତି ନାଟକ  “ଶୁଣନ୍ତୁ ହେ ଅଭିମନ୍ୟୁ ମାନେ” ମଞ୍ଚସ୍ଥ ହୋଇଥିଲା। କଳୁଷିତ ଆଜିର ଏ ସମାଜ। ମାନବିକତା ଆଜି କବର ନେଇଛି। ହିଂସା, ଅନ୍ୟାୟ, ଅନୀତି, ଅସତ୍ୟ ପଥର ଯାତ୍ରୀ ଆଜିର ଯୁବ ସମାଜ। ସେ ପୁଷ୍ପିତ ପଲାଶ ବନରେ ଦେଖେ ବିଦ୍ରୋହର ବହ୍ନି। ସ୍ଥଳ ପଦ୍ମରେ ଦେଖେ ଆହବର ରକ୍ତ ଆଉ ଆନତ କୃଷ୍ଣଚୂଡ଼ାରେ ଦେଖେ ଅନାଗତ ଯୁଗର ରକ୍ତ କେତନ। କାମ, କ୍ରୋଧ, ଲୋଭ ମୋହ ଓ ଅଜ୍ଞତାର ବଶବର୍ତ୍ତୀ ହୋଇ ଜଘନ୍ୟ ଅପରାଧ ଘଟେଇବାକୁ ପଛ ଘୁଞ୍ଚା ଦେଉନି ଏ ଯୁବ ସମାଜ। ଏ ସବୁର ଅନ୍ତିମ ପରିଣତି କେତେ ଯେ ଭୟାନକ ସେ ନିଜେ ବି ଜାଣି ନ ଥାଏ। ମହାଭାରତ ଯୁଦ୍ଧରେ ଚକ୍ରବ୍ୟୁହ ଭିତରକୁ ପ୍ରବେଶ କରିଥିଲେ ଅଭିମନ୍ୟୁ କିନ୍ତୁ ଫେରି ପାରିନଥିଲେ ସେମିତି ଆଜିର ଯୁବ ସମାଜ ଅପରାଧର ଚକ୍ରବ୍ୟୁହକୁ ଅତି ସହଜରେ ପ୍ରବେଶ କରିଯାନ୍ତି କିନ୍ତୁ ଫେରନ୍ତି ନାହିଁ। ଏପରି ଏକ ବାସ୍ତବଧର୍ମୀ ବିଷୟ ବସ୍ତୁକୁ ନେଇ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଏବଂ ସୌନିକା ସାହୁଙ୍କ ନିର୍ଦ୍ଦେଶିତ ଏହି ନାଟକଟିକୁ ଉପସ୍ଥିତ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ। ଆସନ୍ତା କାଲି ମଳୟ କୁମାର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ ମଞ୍ଚସ୍ଥ ହେବ ବୋଲି ନାଟ୍ୟଧାରା ପକ୍ଷରୁ ସୂଚନା ଦିଆଯାଇଛି।

Related posts