ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ। ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ଯାହା ଦ୍ୱାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲ ତୋଡ଼ା ପରିବର୍ତ୍ତେ ଖାତା, ପେନ, ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନ କରିଥିଲେ।ସେହି ସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହାକୁ ବଣ୍ଟନ କରାଯାଉଛି।

ଆଜି ନୟାଗଡ ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ୪୫୬ ଜଣ ଛାତ୍ରଛାତ୍ରୀଙ୍କୁ ସେହି ପାଠ୍ୟ ଉପକରଣଗୁଡିକ ବଣ୍ଟନ କରିଛନ୍ତି। ସେହି ଉପକରଣରେ ଖାତା, ପେନ, ପେନସିଲ, ରବର, କଟର, ରଙ୍ଗ କଲମ, ସ୍କେଚ, ସ୍କେଲ, ଜ୍ୟାମିତି ବାକ୍ସ ଆଦି ରହିଥିଲା। ପିଲାମାନେ ଏହି ଶିକ୍ଷା ଉପକରଣ ପାଇ ବହୁତ ଖୁସି ଅନୁଭବ କରିବା ସହିତ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ପାଇଁ ପ୍ରଂଶସା କରିଥିଲେ। ଅନ୍ୟମାନଙ୍କୁ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଶ୍ୱ ଭୂଷଣ ବେହେରା ଉପସ୍ଥିତ ରହି ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Related posts