ନୟାଗଡ଼ ମଞ୍ଚ ନାଟକର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ଦର୍ପଣ):- ମଞ୍ଚ ନାଟକ କ୍ଷେତ୍ରରେ ନୟାଗଡ଼ର ସମୃଦ୍ଧ ପରମ୍ପରା ରହିଆସିଛି। ବହୁବର୍ଷ ପୂର୍ବେ ନୟାଗଡ଼ର ଗ୍ରାମାଞ୍ଚଳରେ ମୁଠିଚାଉଳ ସଂଗ୍ରହ ତଥା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରାୟ ପ୍ରତ୍ୟେକ ଗାଁରେ ନାଟକ ମଂଚସ୍ଥ ହେଉଥିଲା।ସମୟାନୁକ୍ରମେ ନାଟକରେ ଅନେକ ପରିବର୍ତ୍ତନ ଆସିବାସହ ସଂପ୍ରତି ନୟାଗଡ଼ର ମଞ୍ଚ ନାଟକ ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ଦାବି କରିବାରେ ସମର୍ଥ ହୋଇଛି ବୋଲି ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଆୟୋଜିତ ନାଟ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିବା ଅତିଥି ଏବଂ ନାଟ୍ୟକର୍ମୀ ମତପ୍ରକାଶ କରିଥିଲେ।

ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପବିତ୍ର ମହାନ୍ତି ଯୋଗଦେଇ ନୟାଗଡ଼ ମଞ୍ଚ ନାଟକର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିବାସହ ନାଟକ ସଂପର୍କ ଦୃଢ଼ୀଭୂତ କରିବାର ଏକ ବଳିଷ୍ଠ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଂଞ୍ଚାୟନର ସଭାପତି ଜାମିନୀକାନ୍ତ ମିଶ୍ର, ସୁଧା ସାଂସ୍କୃତିକ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଆଶୁତୋଷ ମିଶ୍ର, ଚମତ୍କାରର ସଂପାଦକ ରାକେଶ କୁମାର ଦାସ, ବିଶିଷ୍ଟ ଅଭିନେତା ପ୍ରଭାତ ମିଶ୍ର, ସଂସ୍କୃତି ସଂସଦର ସହ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ମଞ୍ଚ ନାଟକରେ ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ଏବଂ ମହାନ୍ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଶିଷ୍ଟ ନାଟ୍ୟକର୍ମୀ ସୁରେନ୍ଦ୍ର କୁମାର ସାହୁ, ସୁଜାତା ପଶାୟତ, କାମାକ୍ଷା ପ୍ରସାଦ ଦାଶ, ନରେନ୍ଦ୍ର ବେହେରା, ହୃଷିକେଶ ଦାଶ, ନିରଞ୍ଜନ ନାୟକ ଆଦି ଅଂଶଗ୍ରହଣ କରିଥିଲେ।

Related posts