ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ ସୃଜନାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ମାଗୁଣିର ଶଗଡ଼”।  ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ପ୍ରମୁଖ ଯୋଗଦେଇ ସଭାକୁ ସମୃଦ୍ଧ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଙ୍କ କରକମଳରେ କବି ପ୍ରଭାତ କୁମାର ମିଶ୍ରଙ୍କ କବିତା ପୁସ୍ତକ “ପ୍ରହରୀ” ର ପାଠକାର୍ପଣ ହୋଇଥିଲା। ତୃତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ “ମାଗୁଣିର ଶଗଡ଼” ଶିଳ୍ପ ବିପ୍ଲବର ଆଗମନ ପରେ ସମାଜରେ ଦେଖା ଦେଇଥିବା ପରିବର୍ତ୍ତନର କାହାଣୀ ବଖାଣିବାରେ ଖୁବ୍ ସକ୍ଷମ ହୋଇଥିଲା। ସ୍ବର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଏହି ମୂଳ କାହାଣୀକୁ ନାଟ୍ଯରୂପ ଦେଇଥିଲେ ନବୀନ ପରିଡ଼ା ଓ ନିର୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ବିଭିନ୍ନ ଚରିତ୍ରରେ ଜଗଦୀଶ, ମାନସ, ଶୁଭଙ୍କର, ଅମରଦୀପ୍, ଶୁଭଲକ୍ଷ୍ମୀ, ସୂର୍ଯ୍ୟକାନ୍ତ, ବିଜୟ, ଦେବାଶିଷ, ରାଜେଶ, ଗୋବିନ୍ଦ, ଅଙ୍କିତା, ପ୍ରିୟଙ୍କା, କାଜଲ୍, ଜି. ଜଗା ରାଓ ଓ କୀର୍ତ୍ତି କେଶରୀଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ସିରିୟସ୍ ଜୋନ୍ ର ଏହି ପ୍ରୟାସକୁ ନାଟ୍ଯପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି।

Related posts