ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ୨୧ନଂ ରାଜ୍ୟ ରାଜପଥର କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ଏହି ରାଜ୍ୟ ରାଜପଥର ଅବସ୍ଥା ଏମିତି ହୋଇଛି ଯେ ବର୍ଷା ଦିନେ ପାଣିକାଦୁଅରେ ସହରବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ଧୂଳିବାଲିରେ ଅତିଷ୍ଠ ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ୨ଫୁଟ ଗାତ ହୋଇ ପାଣି ଜମିଥିବା ବେଳେ ସେଥିରେ ମେଣ୍ଟାଲ, ଷ୍ଟୋନଡଷ୍ଟ ପକାଇ ନାମକୁ ମାତ୍ର ମରାମତି କରିଥିଲା ପୂର୍ତ୍ତ ବିଭାଗ। ଏବେ ସେହି ଷ୍ଟୋନଡଷ୍ଟ ସ୍ଥାନୀୟ ଅଧିବାସୀଙ୍କ ପାଇଁ କାଳ ସାଜିଥିବା ବେଳେ ରାସ୍ତାରେ ପଡ଼ିଥିବା ମେଣ୍ଟାଲ ଯୋଗୁଁ ପଥଚାରୀ ଏବଂ ବାଇକ ଚାଳକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏପରିକି ଏହି ରାସ୍ତା ଦେଇ ଦୈନିକ ଓଡଗାଁ, ଭଞ୍ଜନଗର, ଆସିକା, ବ୍ରହ୍ମପୁର, ରାୟଗଡା ଆଦି ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ,ଟ୍ରକ,କାର,ମାଲଗାଡ଼ି, ବାଇକ ଆଦି ଯିବା ଆସିବା କରୁଥିବା ସମୟରେ ରାସ୍ତାରେ ଖେଳେଇ ହୋଇ ପଡ଼ିଥିବା ମେଣ୍ଟାଲ ଗୁଡ଼ିକ ଛିଟକା ମାରି ଚଳପ୍ରଚଳ କରୁଥିବା ଅଧିବାସୀ ମାନଙ୍କୁ ଆହତ କରୁଥିବା ବେଳେ ରାସ୍ତାରେ ପଡ଼ିଥିବା ଡଷ୍ଟ ଧୂଳି ଉଡ଼ି ସମଗ୍ର ଅଞ୍ଚଳ ପ୍ରଦୂଷିତ ହେବା ସହିତ ଏହି ଅଞ୍ଚଳରେ ଥିବା ବାସଗୃହ, ଦୋକାନ ଆଦି ଧୂଳିମୟ ହେଉଥିବା ବେଳେ ସମଗ୍ର ପରିବେଶ ପ୍ରଦୂଷିତ ହେଉଛି। ଏପରିକି ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ସ୍ଥାନୀୟ ଅଧିବାସୀ ମାନେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ରାସ୍ତା ମରାମତିର ନାଁ ଧରୁନି ପୂର୍ତ୍ତ ବିଭାଗ। ବର୍ଷାଦିନେ ବର୍ଷା ଆଳ ଦେଖାଇ ରାସ୍ତା ମରାମତି କାମ ବନ୍ଦ ରଖିଥିଲା। ଏବେ ଧୂଳିବାଲି ଉଡ଼ି ଅଞ୍ଚଳବାସୀ ଅତିଷ୍ଠ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ନା ପାଣି ଛିଞ୍ଚା ଯାଉଛି ନା ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ଦେଇ ଦୈନିକ ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଚାରପତି, ରୋଗୀ, ବୁଦ୍ଧିଜୀବୀ ମାନେ ଯିବା ଆସିବା କରୁଥିବା ବେଳେ ପୂର୍ତ୍ତ ବିଭାଗ ଚୁପଚାପ ବସି ରହିଛି। ପ୍ରତିଦିନ ଲୋକେ କଲବଲ ହୋଇ ଯାତାୟତ କରିବା ଓ ଛୋଟବଡ଼ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଲୋକେ ଯାତାୟାତ କରିବା ସମୟରେ ଅତ୍ୟନ୍ତ ଦହଗଞ୍ଜ ହେଉଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କାହାରି ଦରଦ ନାହିଁ। ମାତ୍ର ୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୪ ବର୍ଷ ଲାଗିଥିବାରୁ ନେତା, ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସହରବାସୀ। ପ୍ରକାଶ ଥାଉକି, ନୟାଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୨୧ନଂ ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ପ୍ରତିଦିନ ଶହ ଶହ ଯାନବାହାନ ଖାଲଖମା ରାସ୍ତା ଦେଇ ଯାଉଥିବା ବେଳେ ସବୁ ଦେଖି ଚୁପ୍ ବସିଛି ପ୍ରଶାସନ। ଏହା ଦିନକର ଘଟଣା ନୁହଁ; ବର୍ଷ ବର୍ଷ ଧରି ଯନ୍ତ୍ରଣାରେ ଲୋକେ କଲବଲ ହେଉଥିଲେ ମଧ୍ୟ ଏହି ରାସ୍ତା ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ସ୍କୁଲ, କଲେଜ ଛାତ୍ରଛାତ୍ରୀ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟିବା ଓ ଅନ୍ଧାରିଆ ରାତିରେ ଲୋକେ ଖାଲଖମା ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା
ହେଉଥିବାର ନଜିର ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଯାଉଥିବା ରୋଗୀ, ଭିଆଇପି ଓ ଜନସାଧାରଣ ରାସ୍ତାକୁ ନେଇ ଲହୁଲୁହାଣ
ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ହାଲ୍କା ଭାବେ ଗ୍ରହଣ କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ନୟାଗଡ଼ ତ୍ରିନାଥ ଛକରୁ କୋଏନା ହୋଟେଲ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ନିର୍ମାଣ ହେବା ପରେ ବାକି ରାସ୍ତା ନିର୍ମାଣ କରାଯିବ ବୋଲି ବ୍ୟୟ ଅଟକଳ କରି ପ୍ଲାନ ପ୍ରସ୍ତୁତ ହେଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଛି। ସବିଶେଷ ଖବରରୁ ଜଣା ପଡ଼ିଛି ଯେ ଇତି ମଧ୍ୟରେ ଟେଣ୍ଡର କାର୍ଯ୍ୟ ଶେଷ ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆ ସରିଛି। ତେବେ କାର୍ଯ୍ୟାରମ୍ଭର ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ସୂଚନା ମିଳିଛି।