ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ

ରଣପୁର,(ନୟାଗଡ଼ ଦର୍ପଣ): ଗଣ ଶିକ୍ଷା ବିଭାଗର ଚିଠି ନମ୍ବର ୧୧୦୯୯ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକୁ ନେଇ ଆଜି  ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତିଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ନାୟକ, ମୋ ସ୍କୁଲ ସଭାପତି ଦୟାନିଧି ରୟଗୁରୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠଯୋଜନା, ଶ୍ରେଣୀ ପରିଚାଳନା ସମୟର ସୁବିଧା ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହିତ ଏକକ ଶିକ୍ଷାଦାନ ପଦ୍ଧତି, ବହୁ ଶ୍ରେଣୀୟ ଶିକ୍ଷାଦାନ ପଦ୍ଧତିର ସୋପାନ ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହ ଶିକ୍ଷକ ସୁକାନ୍ତ କୁମାର ବେହେରା, ଭଗବତ ଜେନା, ଭ୍ରମରବର ତାଡ଼ ପ୍ରମୁଖ ବିଭିନ୍ନ ଶିକ୍ଷାଦାନ ପଦ୍ଧତିର ନମୁନା ଶ୍ରେଣୀ ନେଇ ଶିକ୍ଷାଦାନ କରିଥିଲେ। ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ। ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୮ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ସମନ୍ୱୟ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ ମଧ୍ୟ ଏଥିରେ ଯୋଗ ଦେଇ  ବୈଠକର ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ।

   ସେହିପରି ଖଇରପଲ୍ଲୀ କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସାନପଥୁରିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଦାସଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରସାନନ୍ଦ ବେହୁରା ଓ ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ରାଉତ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁକୁ ଖୁବ ସରଳ ଭାବେ ଆଲୋଚନା କରିଥିଲେ। ଏଥିରେ କ୍ଲଷ୍ଟରର ୩ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ୯ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ସେହିପରି ରଣପୁର, ଗୌରାଙ୍ଗପୁର, ମଝିଆଖଣ୍ଡ, ସୁନାଖଳା, ଝାଡ଼ପଡା ସମେତ ବ୍ଲକ ସମସ୍ତ କ୍ଲଷ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

Related posts