ବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରଣପୁର,(ନୟାଗଡ଼ ଦର୍ପଣ): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣିୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି  ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ  ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଚାଚା ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହା ପରେ ପିଲାମାନଙ୍କ ଅନୁରୋଧ କ୍ରମେ କେକ୍ କଟାଯାଇଥିଲା। ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏଥିରେ ୨୦୨୩-୨୪ ଶିକ୍ଷା ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଗ୍ରାମ ପାଇଁ ଗୌରବ ଆଣିଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ଉପଢୌକନ ଓ ଟ୍ରଫି ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଗତ ମାସରେ ଅବସର ନେଇଥିବା ବିଦ୍ୟାଳୟର ପାଚକ ସହାୟକ ଯଦୁମଣି ବିଶ୍ୱାଳଙ୍କୁ ମଧ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହା ସହ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ ଲିଖନ, ବକ୍ତୃତା ଓ ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଡାଲ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts