ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସମଗ୍ର ଭାରତ ବର୍ଷରେ ଉତ୍ସାହ ଉଦୀପନା ସହ ଶିଶୁ ଦିବସ ପାଳନ କରାଯାଇଛି । ଶିଶୁ ମାନଙ୍କର ଅଧିକାର, ସୁରକ୍ଷା ପାଇଁ ସାମ୍ବିଧାନିକ ସଚେତନତା ଅପରିହାଜ୍ୟ । ଏହି ଉପକ୍ରମରେ, ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଇଥିଲା। ଚନ୍ଦ୍ର ବିଜୟୀ ମିଶ୍ର ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଇଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ- ଶିଶୁ ଅଧିକାର ଉପରେ ବାଖ୍ୟା କରିବା ବେଳେ, ବରିଷ୍ଠ ବିଚାରପତି ସତ୍ୟବ୍ରତ ରଣା ଶିଶୁ ସୁରକ୍ଷାର ସାମ୍ବିଧାନିକ ଦିଗ ଉପରେ ବର୍ଣ୍ଣନା କରିଥିଲେ । ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡ ଶିଶୁମାନଙ୍କ ଶିକ୍ଷା ଅଧିକାର, ସଚେତନତା, ଦାୟୁତ୍ଵ ବୋଧତା କିପରି ସେମାନଙ୍କୁ ସଫଳ କରି ଗଢିବ ତାହା ବୁଝାଇଥିଲେ।
ବରିଷ୍ଠ ସରକାରୀ ଆଇନଜୀବି ଦଣ୍ଡପାଣି ସ୍ବାଇଁ, ଶିଶୁ ମାନଙ୍କ ପ୍ରତି ସାମାଜିକ କର୍ତ୍ତବ୍ୟ ଦର୍ଶାଇଥିଲେ । ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ମହାରଣା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଓ ପୋସ୍କୋ ଆଇନ ୨୦୧୨ ଉପରେ ତର୍ଜମା କରି ସଚେତନତା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲିକ ଶିଶୁ ମାନଙ୍କର ପରିବାର ଏବଂ ଅନୁଷ୍ଠାନ ମାନଙ୍କରେ ସୁରକ୍ଷା ବଖାଣିଥିଲେ । ଆଇନଜୀବି କାମାକ୍ଷା ପ୍ରସାଦ ଦାସ ଗଳ୍ପ ମାଧ୍ୟମରେ ଶିଶୁ ମାନଙ୍କୁ ସଚେତନତା କରିଥିବା ବେଳେ, କବୟତ୍ରୀ ଶ୍ରୀମତୀ ପ୍ରଭାସିନୀ ବରାଡ ସ୍ଵରଚିତ କବିତା ଆବୃତି କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଏବଂ ଶିଶୁ ଦିବସ ଜନିତ ବହୁବିଧ ଭାଷା ନୃତ୍ୟ ପରିବେଷଣ ହୋଇଥିଲା। ସମୂଖ କାର୍ଯ୍ୟାଳୟ ଆଇନଜୀବି ଭବାନୀ ଶଙ୍କର ସାହୁ, ବିଦ୍ୟାଳୟର ଶିକ୍ଷୟତ୍ରୀ, ପ୍ରାଧିକରଣ କର୍ମଚାରୀ, ନ୍ୟାୟ ଅଧିକାର ମିତ୍ର, ପୋଲିସ ଏବଂ ସାମ୍ବାଦିକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିବା ସହିତ ଏପରି ସଚେତନତା କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ଦର୍ଶାଇଥିଲେ।