ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଓଡ଼ଗାଁ ବ୍ଲକ ରୋଡ଼ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ପଦଯାତ୍ରା ରଘୁନାଥ ମନ୍ଦିର ପରିସରରୁ ବାହାରି ଖେଳପଡିଆ ସାହି ଦେଇ ଆମ୍ବତୋଟାଠାରେ ପହଞ୍ଚିବ ଓ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି।

ଏହି ଅବସରରେ ବିଧାୟକ ସାହୁ ସାମାଜିକ ଗଣମାଧ୍ୟମକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର‌୍ୟ୍ୟ କରିବାକୁ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ସାହୁ ଆହୁରି କହିଥିଲେ ଯେ, ଦରଦାମ୍ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ବିଜେପି ସରକାର ବିଫଳ ହୋଇଛି। ଓଡ଼ିଶାରୁ ପୁଞ୍ଜି ଫେରି ଯାଉଛି। ଏହିପରି ଅନେକ ବିଫଳତା ୧୦୦ ଦିନର ସରକାରର କାର‌୍ୟ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମତ ରଖିଥିଲେ। ପ୍ରସ୍ତୁତି ବୈଠକରେ ଜିଲ୍ଲା ମହିଳା ବିଜେଡି ସଭାପତି ବିରଜାଲକ୍ଷ୍ମୀ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବରିଷ୍ଠ ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ।

Related posts