ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଲାଠିପଡା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ  ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ । ବ୍ଲକସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ସୁରଭି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମ୍ମାନୀତ ଅତିଥିଭାବେ  ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ଲାଠିପଡା ସରପଞ୍ଚ ଓ ସମିତିସଭ୍ୟା ,ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ଶେଖ ଅବଦୁଲ ଖାଲିକ ଅତିଥି ପରିଚୟ ପ୍ରଦାନ ତଥା ମଞ୍ଚ ପରିଚାଳନା କରିଥିବା ବେଳେ  ପ୍ରଧାନଶିକ୍ଷକ ପ୍ରତାପ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts