ଜିଲ୍ଲା ସ୍ତରୀୟ କବାଡି ଓ ଖୋ ଖୋ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ

ଶରଣକୁଳ, (ନୟାଗଡ଼ ଦର୍ପଣ) ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ନୟାଗଡ଼ ପକ୍ଷରୁ ଏକାଦଶ ତମ ଜିଲ୍ଲା ସ୍ତରୀୟ କବାଡି ଓ ଖୋ ଖୋ ମନୋନୟନ ପ୍ରତିଯୋଗିତା ୨0୨୪ -୨୫ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବୁଧ ବାର ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବକୁ ରଣପୁର ବିଧାୟିକା ତଥା ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଶ୍ରୀମତୀ ପାଢ଼ୀଙ୍କ ସହିତ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶରଣକୁଳ ଆରକ୍ଷୀ ଉପଖଣ୍ଡ ଅଧିକାରୀ ସୁଧାକର ସାହୁ, ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀ ତଥା ବ୍ଲକ କ୍ରୀଡା ସଂଗଠନ ସଭାପତି ଗୀତାଞ୍ଜଳି ସାହୁ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ନାରାୟଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକ୍ରମ କୁମାର ଦାଶ, ଜିଲ୍ଲା କ୍ରୀଡା ସଂଗଠନ ସମ୍ପାଦକ ଭାସ୍କର ଚନ୍ଦ୍ର ପ୍ରଧାନ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କ୍ରୀଡା ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସହାୟ ହେବା ସହିତ ଭାଇଚାରା ମନୋଭାବ ସୃଷ୍ଟି କରେ। ଏଥି ସହିତ ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କ ମନରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବାର ଏହାଏକ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ସଭାମଞ୍ଚକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଓ ଗୋଦାବରୀ ବସନ୍ତିଆ। ଏହି କ୍ରୀଡା ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ଭାପୁର, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା, ନୂଆଗାଁ, ନୟାଗଡ଼, ରଣପୁର ଓ ଓଡଗାଁ ବ୍ଲକରୁ ପାଞ୍ଚଶହରୁ ଉର୍ଦ୍ଧ୍ୱ କ୍ରୀଡା ଛାତ୍ରଛାତ୍ରୀ ଯୋଗଦେଇ କବାଡି ଓ ଖୋ ଖୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ବାଳକ ବିଭାଗରେ ଦୁଇଟି ଦଳ ଓ ବାଳିକା ବିଭାଗରେ ଦୁଇଟି ଦଳ ଏହିପରି କବାଡି ଓ ଖୋଖୋରେ ଚାରିଗୋଟି ଦଳରାଜ୍ୟ ସ୍ତରକୁ ଉନ୍ନୀତ ହୋଇ ଥିଲେ। ଉଭୟ ଖେଳରେ ଚାମ୍ପିୟନ ଦଳକୁ ପୁରସ୍କୃତ କରାଯାଇଥିଲା। ଓଡଗାଁ ବ୍ଲକ କ୍ରୀଡା ସମ୍ପାଦକ ସତ୍ୟବାଦୀ ପ୍ରଧାନ, ଦାମୋଦର ସାହୁ, ସନ୍ୟାସୀ ପ୍ରଧାନ, ବିଜୟ କୁମାର ସେଠି, ଅଜୟ ବାରିକ, ଶରତ କୁମାର ସାହୁ କ୍ରୀଡା ପରିଚାଳନା କରିଥିବା ବେଳେ ଜିଲ୍ଲାର ସ୍ରମସ୍ତ କ୍ରୀଡା ଶିକ୍ଷକ ଓ ନାରାୟଣ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Related posts