ଆଜି ପବିତ୍ର ଗୁରୁ ଦିବସରେ ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା  ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି  ଗୁରୁ। ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ। ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ। ଶିକ୍ଷାର ବିକାଶ ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ତେଣୁ ଏହି ଦିନ ଛାତ୍ରଛାତ୍ରୀମାନେ ସାରା ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି।

ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଗୁରୁ ଦିବସ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଉପସ୍ଥିତ ରହି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ପୁଷ୍ପ ଧୂପ ଦେଇ ପୂଜା କରିବା ସହିତ ଗୁରୁ ବନ୍ଦନା ଗାନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଗୁରୁ ଦିବସର ମହତ୍ୱ ବୁଝାଇଥିଲେ। ଗୁରୁ-ଶିଷ୍ୟ ସମ୍ପର୍କିତ ବିଭିନ୍ନ କାହାଣୀ କହି ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କର ମହତ୍ୱ ପ୍ରତିପାଦନ କରିଥିଲେ।

Related posts