ସୁଭଦ୍ରା ଯୋଜନା ଫର୍ମ ବଣ୍ଟାକୁ ନେଇ ହଟ୍ଟଗୋଳ, ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ କଲେ ଯୁବକ

ରଣପୁର, (ନୟାଗଡ଼ ଦର୍ପଣ): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ପିଟିଲେ ଜନୈକ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ଡ଼ିମିରିଆ ଗ୍ରାମରେ। ଉକ୍ତ ଗ୍ରାମର ଅଙ୍ଗନବାଡି ଦିଦି ମିନାକ୍ଷୀବାଳା ପରିଡା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ଫର୍ମ ନିଜ ଗ୍ରାମରେ ବଣ୍ଟନ କରୁଥିବା ବେଳେ ଫର୍ମ ବଣ୍ଟନକୁ ନେଇ ଉକ୍ତ ଗ୍ରାମର ସରୋଜ ମହାପାତ୍ର ତାଙ୍କୁ ବିରୋଧ କରିଥିଲେ। ତାଙ୍କ ସହ ତାଙ୍କର ବଚସା ମଧ୍ୟ ହୋଇଥିଲା।

ପରେ ଅଙ୍ଗନବାଡି ଦିଦିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାନଝିଅ ସାଇ ଶ୍ରଦ୍ଧାଞ୍ଜଳି ନାୟକ ଓ ପୁଅ ସାଇ ସୌମ୍ୟଜିତ୍ ନାୟକଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଅଙ୍ଗନବାଡି କର୍ମୀ ମିନାକ୍ଷୀ ପରିଡା ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ରଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଯଦି ପ୍ରଶାସନ ତରଫରୁ ଏହାକୁ ସଠିକ୍ ପଦକ୍ଷେପ ନ ନିଆଯାଏ ତାହାଲେ ବୁଧବାର ରଣପୁର ବ୍ଲକ ଘେରାଉ କରାଯିବ ବୋଲି ରଣପୁର ବ୍ଲକ୍ ଅଙ୍ଗନବାଡି ୱର୍କର୍ସର ସଭାପତି ସୁଶ୍ରୀ ସଙ୍ଗୀତା ମହାପାତ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

Related posts