ସଙ୍ଗୀତଧାରା’ ପକ୍ଷରୁ ଆରମ୍ଭ ହେବ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଏ ନେଇ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗିମାନେ ଶାଳୀନତାଭିିକ  ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ ଆଦି ପରିବେଷଣ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ବିନା ବାଦ୍ୟ ଯନ୍ତ୍ରରେ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ର ସହିତ ସଙ୍ଗୀତ ପରିବେଶଣ କରିବେ । ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଭକ୍ତି ସଙ୍ଗୀତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବା ସହିତ ‘ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ କରାଯିବ  । ଏଥିସହିତ ଦ୍ୱିତୀୟ ଏବଂ ତୃତୀୟ ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ । ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ,ଲକ୍ଷ୍ମୀଧର ସାହୁ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଲକ୍ଷ୍ମୀଧର ମହାପାତ୍ର, ଜୟଶ୍ରୀ ଦେବୀ,ପ୍ରଦୀପ ରଥ,ପ୍ରଦୀପ ସାହୁ,ଦିଲ୍ଲୀପ ସାହୁ,ପ୍ରଦୀପ୍ତ ଡାକୁଆ,ଗୋପୀନାଥ ସେଠୀ, ଅଶୋକ ମଲ୍ଲ, ରଂଜନ ରଶ୍ମି ଜେନା, ମାଧବ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

Related posts