ବିଭିନ୍ନ ସମସ୍ୟା ସମାଧାନ ପାଇଁ ରେଳ ବିଭାଗ ଏବଂ ନାଗରିକ ମଞ୍ଚର ମିଳିତ ଆଲୋଚନା, ଯାତ୍ରୀଙ୍କ କଲ୍ୟାଣ ପାଇଁ ରେଳ ବିଭାଗର ଦୃଢ଼ ପ୍ରତିଶୃତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ମୁଖ୍ୟ ପରିଚାଳକ ଏଚ.ଏସ. ବାଜ୍‌ୱାଙ୍କ ଆମନ୍ତ୍ରଣ କ୍ରମେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଜଟଣୀସ୍ଥିତ କାର୍ଯ୍ୟାଳୟ ଠାରେ ଭେଟି ନୟାଗଡ଼ ଜିଲ୍ଲା ରେଳ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ନୟାଗଡ଼ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ମଣ୍ଡଳି ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ସକରାତ୍ମକ ହୋଇଥିବା ବେଳେ ରେଳ ବିଭାଗ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାରେ ରେଳ ସେବାରେ ବ୍ୟାପକ ସୁଧାର ଆଣିବ ବୋଲି ସୂଚନା ମିଳିଛି । ଖୁବ୍ କମଦିନ ମଧ୍ୟରେ ଖୋର୍ଦ୍ଧା ରେଳ ଡିଭିଜନ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବାଜ୍‌ୱା ନିଜେ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବାସ୍ତବସ୍ଥିତି ସମୀକ୍ଷା କରିବା ସହିତ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବି ଏବଂ ସମସ୍ୟା ସମ୍ପର୍କରେ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

ନୟାଗଡ଼ ଟାଉନ ଷ୍ଟେସନରେ କେବଳ ଗୋଟିଏ ମାତ୍ର ଟିକେଟ କାଉଣ୍ଟର ଥିବାରୁ ପ୍ରବଳ ଗହଳି ହେଉଥିବା ଏବଂ ଯାତ୍ରୀମାନେ ଟିକେଟ କାଟିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଟିକେଟ କାଟିବା ପାଇଁ ଥିବା ଗୋଟିଏ ମାତ୍ର ମେସିନ ଅନେକ ସମୟରେ ଖରାପ ହେଉଥିବାରୁ ଅଧିକାଂଶ ସମୟରେ ଯାତ୍ରୀମାନେ ବିନା ଟିକେଟରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି। ସେହିପରି ଟିକେଟ କାଉଣ୍ଟର ଛାତରୁ ବର୍ଷା ସମୟରେ ପାଣି ଗଳୁଥିବାରୁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଛାତ ମରାମତି କରିବା ସହିତ ଅଧିକ ଟିକେଟ କାଉଣ୍ଟର ଖୋଲିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଶ୍ରୀଯୁକ୍ତ ବାଜ୍‌ୱାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଖୁବ କମଦିନ ମଧ୍ୟରେ ଆଉ ଗୋଟିଏ ଟିକେଟ କାଉଣ୍ଟର ଖୋଲିବ ବୋଲି କହିଥିଲେ।

ସେହିପରି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା ପୁରୀ ମଧ୍ୟରେ ଚାଲୁଥିବା ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ଚଲାଇବା ତଥା ଯାତ୍ରୀସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ପୁରୀ ଯାଉଥିବା ଟ୍ରେନ ଗୁଡ଼ିକରେ ବଗି ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୁବଶୀଘ୍ର ବଗିସଂଖ୍ୟା ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ମିଳିଥିଲା । ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ନୟାଗଡ଼ରୁ ହାୱଡ଼ା ଏବଂ ବିଶାଖାପଟଣାକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନକୁ ପାରାଦ୍ୱୀପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ଚଲାଇବା, ଜିଲ୍ଲାବାସୀ କଟକ ବଡ଼ ମେଡିକାଲ ଏବଂ ହାଇକୋର୍ଟ ଆଦି କାର୍ଯ୍ୟରେ ଦୈନିକ ଯା’ଆସ କରୁଥିବା ପରିପ୍ରେକ୍ଷୀରେ ଦଶପଲ୍ଲାରୁ କଟକ ପର୍ଯ୍ୟପ୍ତ ଏକ ସ୍ୱତନ୍ତ୍ର ଟ୍ରେନ ସାମିଲ କରିବା ଆଦି ଦାବି କରାଯାଇଥବା ବେଳେ ଏଗୁଡ଼ିକ ରେଳବାଇ ବୋର୍ଡ ଏବଂ ରେଳ ମନ୍ତ୍ରଣାଳୟର ନୀତିଗତ ନିଷ୍ପତ୍ତି ହୋଇଥିବାରୁ ସେ ସବୁକୁ ଧିରେ ଧିରେ ପୂରଣ କରାଯିବ ବୋଲି କୁହାଯାଇଥିଲା। ଏହି ଆଲୋଚନା ଚକ୍ରରେ ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ, ଉପଦେଷ୍ଟା ତ୍ରିନାଥ ସାହୁ,ସମ୍ପାଦକ
ଲକ୍ଷ୍ମୀଧର ସାହୁ ଏବଂ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts