ସମୟ ଆଇନାରେ ଢ଼ିଙ୍କିଶାଳ

ରଞ୍ଜନ କୁମାର ପରିଡ଼ା (ସାମ୍ବାଦିକ), ରଣପୁର ବ୍ଲକ୍ ପ୍ରତିନିଧି, ଝାଡ଼ପଡା, ନୟାଗଡ଼ -୨୫

ସମୟ ବଦଳିଛି। ତା’ ସହିତ ସମତାଳରେ ମନୁଷ୍ୟ ମଧ୍ୟ ପରିବର୍ତ୍ତନ ହେଉଛି। ଆଧୁନିକତାର ଚାକଚକ୍ୟ ସମୟର ସ୍ଵଳ୍ପତା ଭିତରେ ମଣିଷ ଆଜି ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେସିନ୍‌ର ବ୍ୟବହାର ବହୁଳ ଭାବରେ ବଢ଼ି ଚାଲିଛି। ଆଗକାଳରେ ବ୍ୟବହାର କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି। ତା’ ଭିତରୁ ଢିଙ୍କି ଅନ୍ୟତମ । ଏକଦା ଗ୍ରାମ୍ୟ ପରିବାରର ଢିଙ୍କି ଥିଲା ଏକ ନିତ୍ୟ ବ୍ୟବହୃତ ପଦାର୍ଥ। ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୁନା ପ୍ରସ୍ତୁତ କରା ଯାଉଥିଲା। ମହିଳାମାନେ ସଜବାଜ ହୋଇ ସାମାଜିକ ବିବାହ କାର୍ଯ୍ୟକ୍ରମର ଧାନ ଅନୁକୂଳ କାର୍ଯ୍ୟ ସମ୍ପାଦନ କରୁଥିଲେ। ଢ଼ିଙ୍କିକୁ ଶୁଭର ପ୍ରତୀକ ବୋଲି ବିବେଚନା କରାଯାଇଛି ଅନେକ ପୁରାଣ ଶାସ୍ତ୍ରରେ। ଢିଙ୍କି ମହିଳାମାନଙ୍କ ବ୍ୟାୟାମର ଏକ ମାଧ୍ୟମ ପାଲଟିଥିଲା। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଚତୁଃପାର୍ଶ୍ଵରୁ ଉଭେଇ ଗଲା। ତହିଁରେ ବ୍ୟବହୃତ ସରାଞ୍ଜମ ସଂଗ୍ରହାଳୟରେ ସ୍ଥାନ ନେଇ ଇତିହାସ ପାଲଟିଗଲା। ଆଗାମୀ ପିଢି ପାଇଁ ଏହା କେବଳ ଗୋଟିଏ କାହାଣୀ ହୋଇ ରହିଗଲା ପରି ମନେହୁଏ। ପୂର୍ବ କାଳର ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ଆଉ ଦେଖିବାକୁ ମିଳୁନାହିଁ। ଆଗକାଳରେ ଢିଙ୍କିର ବହୁଳ ବ୍ୟବହାର ହେଉଥିଲା। ବିଭିନ୍ନ ପର୍ବପର୍ବାଣିରେ ଭୋଗ ପ୍ରସ୍ତୁତି ନିମନ୍ତେ ଘରେ ଢିଙ୍କିକୁ ପୂଜା କରାଯାଇ ପ୍ରଥମେ ଧାନରୁ ଅରୁଆ ଚାଉଳ, ପରେ ଅରୁଆ ଚାଉଳକୁ ଭିଜାଇ ଢିଙ୍କିରେ ଚୁନା କରାଯାଇ ଭୋଗ ପ୍ରସ୍ତୁତ କରା ଯାଉଥିଲା। ସେ ଭୋଗର ସ୍ବାଦ କିଛି ନିଆରା ଥିଲା। ବିଶେଷ କରି ପୂର୍ବକାଳରେ ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ଅଧିକ ଆବଶ୍ୟକତା ଥିଲା। ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ବାଦ କିଛି ପରିମାଣରେ ରହୁଥିବା ବେଳେ ଏବେ ମିଲରୁ ଆସୁଥିବା ପଲିସ୍‌ ଚାଉଳରୁ ପ୍ରସ୍ତୁତ ଚାଉଳରେ ଆଉ ସ୍ବାଦ ରହୁନାହିଁ। ଗାଁ’ ରେ ବସବାସ କରୁଥିବା ମହିଳାମାନେ ପ୍ରଥମେ ଚୁଲିରେ ଧାନ ଉସାଇଁ ତାକୁ ଖରାରେ ଶୁଖାଇବା ପରେ ଢିଙ୍କିରେ କୁଟୁଥିଲେ। ଏହାଦ୍ୱାରା ସେମାନଙ୍କ ଶାରୀରିକ ବ୍ୟାୟାମରେ ସାହାଯ୍ୟ କରୁଥିଲା। ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ସବୁ ପ୍ରକାରର ଚୁନା ପ୍ରସ୍ତୁତ ହେଉଥିଲା। ଚାଉଳ ଚୁନାରେ ନାନାଦି ପ୍ରକାର ପିଠାପଣା ଭଳିି ଅନେକ ବ୍ୟଞ୍ଜନ ତିଆରି କରା ଯାଉଥିଲା। “ଢିଙ୍କି ଦେଏ ଦୁଲୁକେଇ ଲୋ…..ସମା କୁଟେ ଧାନ” ଭଳି ବିଭିନ୍ନ ଗୀତ ଏବଂ ଢିଙ୍କି କୁଟା ଢକ ଢକ ଶବ୍ଦ ଆଉ ଶୁଣିବାକୁ ମିଲୁନାହିଁ। ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟା ଯାଉଥିଲା। ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରି ପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁ ସଂସାରରୁ ଅନେକ ଜିନିଷ ହଜିଯିବାକୁ ବସିଲାଣି। ଗାଁ ଗହଳିର ଓ ପରିବାର ପାଖରେ ଏହି ଢିଙ୍କି ରହି ଯାଇଥିବା ବେଳେ ଆଗାମୀ ଦିନରେ କେବଳ ଫଟୋ ଚିତ୍ରରେ ଭିତରେ ସୀମିତ ରହିବ ବୋଲି କିଛି ବୁଦ୍ଧିଜୀବୀଙ୍କ ମତ।

“ସରଗକୁ ଗଲେ ଧାନ ସେ କୁଟଇ
ଢିଙ୍କି ଯେ ନାଆଁଟି ତାର
ଚାଷୀ ମୂଲିଆର ଭଙ୍ଗା ଚାଳିଆରେ
ରହିଥାଏ କରି ଘର ll

ପୁନେଇ ପରବ ଓଷା ବ୍ରତ ହେଲେ
ଲୋଡ଼ା ପଡେ ଆଗ ସିଏ
ଅରୁଆ ଚାଉଳ ଝୋଟିଚିତା ଆଣ
ଲାଗି ଚୂନା କୁଟା ଯାଏ “

ଗାଁ ଗହଳିରେ ବସବାସ କରୁଥିବା ମହିଳା ମାନେ ପ୍ରଥମେ ଚୁଲିରେ ଧାନ ଉଁସାଇ ତାକୁ ଖରାରେ ଶୁଖାଇବା ପରେ ଢିଙ୍କିରେ କୁଟନ୍ତି । ଢିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢିଙ୍କି କୁଟା କାର୍ଯ୍ୟ କରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ଆଳାପ ଆଲୋଚନା ହେବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ନିବିଡତା ବାନ୍ଧିହୋଇ ଯାଉଥିଲା। ଏପରିକି ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢିଙ୍କି ମହିଳାମାନଙ୍କୁ ସାହାର୍ଯ୍ୟ କରୁଥିଲା। ଭାବ ବିନିମୟର ଏକ ମାଧ୍ୟମ ରୂପେ ଗାଁ’ର ଢିଙ୍କିଶାଳ ସାଇପଡିଶା ମହିଳାମାନଙ୍କ ପାଇଁ ଏକ ଅବସର ବିନୋଦନ ସାଜିଥିଲା। ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟା ଯାଉଥିଲା । ହାତରେ କୁଟା ଯାଉଥିବା ସରଞ୍ଜାମ କଡୁ ବା ପାହୁରାଣି ନାମରେ ଜଣାଶୁଣା।

ପୂର୍ବକାଳରେ ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ସବୁଠାରୁ ଅଧିକ ଆବଶ୍ୟକତା ଥିଲା। ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ୱାଦ କିଛି ପରିମାଣରେ ରହୁଥିବା ବେଳେ ଏବେ ମିଲରୁ ଆସୁଥିବା ପଲିସ୍ ଚାଉଳରୁ ପ୍ରସ୍ତୁତ ଖାଦ୍ୟରେ ଆଉ ସ୍ୱାଦ ରହୁନାହିଁ। ଗତ ଚାରି ଦଶନ୍ଧି ପୂର୍ବରୁ ଢିଙ୍କି ବ୍ୟବହାର କମି ଧାନକଳ ଆସିଲା । ଧିରେଧିରେ ଧାନକଳ ଗାଁ’ ଗହଳିରେ କୁଟୀର ଶିଳ୍ପଭାବେ ପାଲଟିଗଲା। ଲୋକମାନଙ୍କୁ ଧାନରୁ ଚାଉଳ କରିବା ପାଇଁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡିଲା ନାହିଁ। ଧାନକଳରେ ଧାନ କୁଟିବା ଶିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପ ପାଇବାକୁ ବସିଲାଣି। ଏବଂ ବର୍ତ୍ତମାନ ପିଢ଼ିର ପିଲାମାନେ ଢ଼ିଙ୍କି କ’ଣ? ବୋଲି ପ୍ରଶ୍ନ କରି ତା’ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ କରୁଥିବା ପରିଲକ୍ଷିତ ହେଉଛି।

” କୁଟି ଖାଇବାକୁ କାଟି ପିନ୍ଧିବାକୁ
ଗାନ୍ଧୀ ନୀତି ଆଜି କାହିଁ
ଗାଆଁ ଗହଳିରେ ବିଦ୍ୟୁତ ହଲର
ଢିଙ୍କି ଯେ ମିଳଇ ନାହିଁ “।।

⚫⚫⚫⚫⚫

Related posts