ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ଷ୍ଟେସନ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ଆଜି ପ୍ରତ୍ୟୁଷରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯାଇଛି । ରେଳ ଷ୍ଟେସନ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ, ପାଉଚ, ଜରି, କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ପରିଷ୍କାର କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ଥିବା ବେଳେ ଷ୍ଟେସନ ମଧ୍ୟରେ ଥିବା ପିଇବା ପାଣି ଟ୍ୟାପ ନିକଟରେ ନିଷ୍କାସିତ ହୋଇ ନପାରି ଜମା ହୋଇ ରହୁଥିବା ଆବର୍ଜନା ପାଣିକୁ ନିଷ୍କାସିତ କରାଯାଇଥିଲା।

ନୟାଗଡ଼ ନାଗରିକ ମଞ୍ଚ ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସଫେଇ ଅଭିଯାନରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଏହି କ୍ରମରେ ବରିଷ୍ଠ ନାଗରିକ ତଥା ସମାଜସେବୀ ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ, ପୂର୍ଣ୍ଣଚନ୍ଦ୍ର ଶତପଥି, ବସନ୍ତ କୁମାର ମିଶ୍ର, ସୁରେନ୍ଦ୍ର କୁମାର ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର, ପ୍ରଶାନ୍ତ କୁମାର ଦାଶ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦ୍ୟୁମ୍ନ କୁମାର ନନ୍ଦ, ଅଶୋକ ମଲ୍ଲ, ଦେବେନ୍ଦ୍ର ପରମଗୁରୁ ପ୍ରମୁଖ ସାମିଲ ହୋଇଥିବା ବେଳେ ନୟାଗଡ଼ ମୁନିସିପାଲଟିର ସଫେଇ କର୍ମଚାରୀ ତଥା ରେଳବିଭାଗ ଷ୍ଟେସନ ମ୍ୟାନେଜର ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । ଏଣିକି ପ୍ରତ୍ୟେକ ମାସର ଦ୍ୱିତୀୟ ରବିବାର ଦିନ ଏହିପରି ସଫେଇ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ନାଗରିକ ମଞ୍ଚ ସଭାପତି ଘୋଷଣା କରିଥିଲେ।

Related posts