ଆଜି ମନେପଡେ ସେଇ ସୁନେଲୀ ଅତୀତର କଥା। କେଡେବେଗି ସେଇ ଦିନ ଗୁଡ଼ିକ କାଳ ଖଣ୍ଡରେ ଲୀନ ହୋଇଗଲା। ୧୯୭୮ ମସିହା ଜୁଲାଇ ମାସ ୨୭ ତାରିଖ ଦିନ ରଣପୁର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଜି ଜୁଲାଇ ୨୭,୨୦୨୪କୁ ୪୬ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏମିତିକା ହିସାବ କଲେ ମନ୍ଦାକିନୀ ନଦୀରେ କେତେ କେତେ ଜଳରାଶି ପ୍ରବାହିତ ହୋଇ ସାରିଛି ତାର ପ୍ରମାଣ ନିଜେ ସ୍ଵୟଂ ସେଇ ମନ୍ଦାକିନୀ ନଦୀ ହିଁ ଦେଇ ପାରିବ। ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ରହିଥିବା ମଣିନାଗ ପାହାଡ ତା’ର ସୁଖଦୁଃଖର ମୁକାସାକ୍ଷୀ ପରି ପ୍ରତ୍ୟୟ ହୁଏ। ୯.୫୨ଏକର ପରିମିତ ଜମିର ପରିସୀମା ବା ଚଉହଦୀକୁ ଜାବୁଡି ଧରି ନୀରବ ଓ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କାର୍ଯ୍ୟରେ ଜଡ଼ିତ ରହି ରଣପୁର ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇ ପାରିଛି। କେବଳ ସେତିକି ନୁହେଁ ନୟାଗଡ଼ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ମହାବିଦ୍ୟାଳୟର ମାନ୍ୟତା ବି ଅର୍ଜନ କରିଛି। ଆଜିର ପ୍ରତିଷ୍ଠା ଦିବସରେ ମୁଁ ଜଣେ ପ୍ରାକ୍ତନ ଅଧ୍ୟାପକ ଭାବରେ ସେଠାରେ ବିତାଇ ଥିବା ଅଧ୍ୟାପନା ସମୟର ସ୍ମୃତିକୁ ରୋମନ୍ଥନ କରୁଛି।
ସେଦିନ ଥିଲା ୧୯୮୩,ଅକ୍ଟୋବର ୫ତାରିଖ। ମୁଁ ଏହି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଜଣେ ମାମୁଲି ଅଧ୍ୟାପକ ଭାବରେ ଯୋଗଦାନ କରିଥିଲି। ଅବଶ୍ୟ ଏହା ପୂର୍ବରୁ ପ୍ରାୟ ଦୁଇ ବର୍ଷ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ, ଟାଙ୍ଗି(ଖୋର୍ଦ୍ଧା )ରେ ଅତିବାହିତ କରିବାକୁ ପଡ଼ିଥିଲା। ସେଠାରେ ପରିଚାଳନା ତ୍ରୁଟି ଦେଖି ମୋତେ ତାହାକୁ ଛାଡ଼ି ଆସିବାକୁ ପଡ଼ିଲା। ଯାହାହେଉ ମୋତେ ରଣପୁର ମହାବିଦ୍ୟାଳୟ କୋଳେଇ ନେଲା। ସାରା ଜୀବନ ଋଣୀ ହୋଇ ରହିବି ଏହି ମହାବିଦ୍ୟାଳୟର ପ୍ରଥମ ତଥା ପ୍ରତିଷ୍ଠା ଅଧକ୍ଷ ସ୍ବର୍ଗତ ନାରାୟଣ ମହାପାତ୍ରଙ୍କ ନିକଟରେ। ନିଯୁକ୍ତ ଦେବା ପୂର୍ବରୁ ସେ ମୋତେ ଜଣେ ଖଳ ଚରିତ୍ର ଓ ଗଣ୍ଡଗୋଳିଆ ପ୍ରକୃତିର ବ୍ୟକ୍ତି ବୋଲି ଧରି ନେଇଥିଲେ। କିନ୍ତୁ ଦୈବୀ ଶକ୍ତି ମୋ ସପକ୍ଷରେ ଯାଇଥିବା ବେଳେ ଏବଂ ମୋ ସହିତ ଶ୍ରେଣୀ ଗୃହରେ ରହି ମୋର ଶିକ୍ଷାଦାନର ଶୈଳୀ ଦେଖି ସେହି ଦିନ ମୋତେ ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ। ଏବେ ଆଜିର ଦିନରେ ସେଇ ସ୍ମୃତି ମୋ ମନରେ ଉଜ୍ଜୀବିତ ହେଉଛି।
ରାଜନୀତି ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଥାଆନ୍ତି ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଏବଂ ଶ୍ରୀ ଜୟନ୍ତ କୁମାର ପରିଡ଼ା, ଦ୍ଵିତୀୟ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ମୁଁ ତୃତୀୟ ଅଧ୍ୟାପକ ଭାବରେ ଯୋଗ ଦେବାରୁ ବିଭାଗ ମଜଭୁତ ହୋଇ ପାରିଥିଲା। ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ଥାଇ ମଧ୍ୟ ଏହି ରାଜନୀତି ବିଜ୍ଞାନ ବିଷୟ ପ୍ରତି ବହୁ ଦାବିଥିଲା। ମୋର ମନେ ପଡେ ଶ୍ରେଣୀ ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରହେ। ଛାତ୍ରଛାତ୍ରୀ ମାନେ ବଡ ମନଯୋଗ ସହକାରେ ଆମର ପାଠ ପଢାକୁ ଗ୍ରହଣ କରନ୍ତି। ବହୁ ଅଭାବ ଥିଲା, ଯାତାୟାତ ସେତେ ସୁଗମ ନ ଥିଲା, ତଥାପି ବଡ ଆଗ୍ରହ ସହକାରେ ବିଭିନ୍ନ ଅଞ୍ଚଳ ଓ ଦୂର ଦୁରାନ୍ତରୁ ଛାତ୍ରଛାତ୍ରୀ ମାନେ ଏହି ମହାବିଦ୍ୟାଳୟକୁ ନିଜ ଲକ୍ଷ୍ୟ ସାଧନ ପାଇଁ ଆସନ୍ତି। ନାରୀ ଶିକ୍ଷା ପାଇଁ ଏହା ଏକ ମାତ୍ର ମହାବିଦ୍ୟାଳୟ ଭାବେ ପରିଚିତ ହେଉଥିଲା। ପରିବେଶ ପ୍ରଦୂଷଣ ନାହିଁ, ଏକ ନୀରବ ଓ ଶାନ୍ତ ବାତାବରଣ, ସବୁଜିମା ବଳୟ ମଧ୍ୟରେ ଆମ ସମସ୍ତଙ୍କ ଜୀବନ ବଡ ସୁଧାର ଥିଲା। କେତେ ଛାତ୍ରଛାତ୍ରୀ ଯାଇଛନ୍ତି ଓ ଆସିଛନ୍ତି ଏବଂ ସମାଜର ମୁଖ୍ୟସ୍ରୋତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଯଶସ୍ୱୀ ହୋଇଛନ୍ତି ତା’ର ହିସାବ ଏହାର ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇଛି। ମୋର ସମୟ ବି ସୀମିତ ଓ ଏହି ସୀମିତ ପରିସର ମଧ୍ୟରେ ଆମେ ସମସ୍ତେ ମିଳିମିଶି ମହାବିଦ୍ୟାଳୟକୁ ବହୁ ଉଚ୍ଚକୁ ଟାଣି ନେଇଥିଲୁ, ତାହା ଆଜି ସ୍ମୃତି ହୋଇ ମନରେ ଉଙ୍କି ମାରୁଛି।
ଆଜିର ପ୍ରତିଷ୍ଠା ଦିବସରେ ସେଇମାନଙ୍କ କଥା ମନେ ପଡେ। ଯେଉଁମାନେ ଆଉ ଆମ ଗହଣରେ ନାହାଁନ୍ତି। ଦିବଂଗତ ଆତ୍ମାମାନଙ୍କ ସଦଗତି ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି। ପରିଚାଳନା ସମିତିର ଅନେକ ସଦସ୍ୟ ଓ ପରାମର୍ଶ ଦାତା ମାନେ ସ୍ଵର୍ଗାରୋହଣ ବି କରିସାରିଲେଣି। ସମସ୍ତଙ୍କ ତ୍ୟାଗ ଓ ନିଃସ୍ୱାର୍ଥପର ସେବା କଥା ଆଜି ସ୍ମୃତିରେ ଆସୁଛି। ମହାବିଦ୍ୟାଳୟ ଆଜି ଏକ ପୂର୍ଣ୍ଣାଙ୍ଗ ଅନୁଷ୍ଠାନରେ ପରିଣତ ହୋଇଛି କେବଳ ସେମାନଙ୍କ ଆଶିଷ ଓ ଆଶୀର୍ବାଦ ଯୋଗୁଁ। ସେମାନଙ୍କୁ ମହାବିଦ୍ୟାଳୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଆହୁରି ଅନେକ ଅନୁଭୂତି ମୋ ମାନସ ପଟରେ ଅଛି। ସେଗୁଡ଼ିକୁ ବର୍ଣ୍ଣନା କଲେ ଏହାର କଳେବର ବଡ ହୋଇପାରେ। ସେଥରୁ ବିରତ ହୋଇ ଏତିକି କହି ପାରିବି ଯେ ଅନୁଷ୍ଠାନର ମାଆ ବାପା ହେଉଛନ୍ତି ବର୍ତ୍ତମାନ କାର୍ଯ୍ୟରତ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ପରିଚାଳନା ସମିତି ଓ ଏହାର ବରେଣ୍ୟ ସଭାପତି ଇତ୍ୟାଦି। ଶିକ୍ଷାର ଭିତ୍ତିଭୂମିକୁ ସଜାଡ଼ିବା ଦାୟିତ୍ଵ ଓ ଏହାକୁ ବ୍ୟବସାୟିକ ନ କରି ସୁଚାରୁ ରୂପେ ସମ୍ପାଦନା କରି ପାରିଲେ ଅଧ୍ୟାପକ ଅଧ୍ୟାପିକା ମାନେ ଜୀବନ୍ତ ହୋଇ ପାରିବେ। ମଣିଷ ତିଆରି କାରଖାନା ଭାବେ ରଣପୁର ମହାବିଦ୍ୟାଳୟ ଆହୁରି ନାମ ଓ ଯଶରେ ଗରୀୟାନ ହୋଇ ପାରିବ। ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଏହି ଅନୁଷ୍ଠାନର ସମ୍ପତ୍ତି। ଏହି ୪୬ବର୍ଷ ଅବଧି ମଧ୍ୟରେ କେତେ କେତେ ଛାତ୍ରଛାତ୍ରୀ ଗଲେଣି ଓ ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ତାହା କେବଳ ଏହାର ଶୈକ୍ଷିକ ପରିବେଶ ପାଇଁ। ସମସ୍ତେ ନିଷ୍ଠାପର ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରିଲେ ଆଜିର ପ୍ରତିଷ୍ଠା ଦିବସ ପାଳନର ମହତ୍ତ୍ୱ ପ୍ରତିପାଦିତ ହୋଇ ପାରିବ।
⚫⚫⚫⚫⚫