କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ

ରଣପୁର, (ନୟାଗଡ଼ ଦର୍ପଣ): ଆଷାଢ ପୂର୍ଣ୍ଣିମା ତିଥି ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ। ଯାହା ପବିତ୍ର ଗୁରୁ ପୂର୍ଣ୍ଣିମା ନାମରେ ଭୁବନ ବିଦିତ। ଉକ୍ତ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଗ୍ରଣୀ ଅନୁଷ୍ଠାନ କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ ତଥା ବେଦ ପାଠଶାଳାର ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡ. ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍‌, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା। ପରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅଶୋକ କୁମାର ମହାପାତ୍ର, ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସାମାଜିକ ଅନୁଷ୍ଠାନ ‘ଶୋଭା’ ର ସମ୍ପାଦିକା ରଞ୍ଜୁବାଳା ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ମୁଖ୍ୟବକ୍ତା ଶ୍ରୀ ସୁଧାକର ପଣ୍ଡା ମହର୍ଷି ବ୍ୟାସଦେବଙ୍କର ଜନ୍ମ ତିଥି ପାଳନର ତାତ୍ପଯ୍ୟ ଓ ଆବଶ୍ୟକତା, ବେଦ ଅଷ୍ଟାଦଶ ପୁରାଣର ରଚନା, ସମସ୍ତ ସଂହିତାର ରଚନା, ବ୍ରହ୍ମସୂତ୍ର , ମୀମାଂସା, ମନ୍ତ୍ର ଦ୍ରଷ୍ଟା ରୂପେ ଜଗତେ ବିଦିତ ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ। ମହାଭାରତର ରଚନା , ଶ୍ରୀମଦ୍ ଭାଗବତ , ଶ୍ରୀମଦ୍ ଭଗବତ୍ ଗୀତାର ରଚନା ଓ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଇଡଭୋକେଟ୍ ଶ୍ରୀ ସୂର୍ଯ୍ୟକାନ୍ତ ମହାପାତ୍ର ବିଦ୍ୟାର୍ଥୀମାନଙ୍କୁ ଛୋଟ ଗପ ମାଧ୍ୟମରେ ବ୍ୟାସଦେବଙ୍କ ଗୁରୁଭକ୍ତି, ଗୁରୁ ପୂଜନ ଓ ଅନ୍ୟ ଏକ ଗପ ମାଧ୍ୟମରେ ସ୍ତ୍ରୀ, ଶୁଦ୍ର ଓ କଳି ଯୁଗ ବି କିଭଳି ମହାନ୍ ସେ ବିଷୟରେ ବୁଝାଇଥିଲେ। ମୁଖ୍ୟ ଅତିଥି ଭାବେ ରଣପୁର ମହାବିଦ୍ୟାଳୟର ପ୍ରାକ୍ତନ୍ ସଂସ୍କୃତ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ନନ୍ଦ ଅତିି ପ୍ରାଞ୍ଜଳ ଭାବେ ସତ୍ୟବତୀ-ପରାଶର ନନ୍ଦନ ଭଗବାନ ବ୍ୟାସଙ୍କର ଜନ୍ମ ବୃତାନ୍ତ, ତାଙ୍କ ନାମ କୃଷ୍ଣ ଦ୍ୱୈପାୟନ ହେବାର ରହସ୍ୟ ,ବେଦ ପରି ବୃହତ୍ ଗ୍ରନ୍ଥକୁ ଋଗ୍ ବେଦ- ଜୈଲ୍ୟ, ଯଜୁର୍ବେଦ -ଜୈମିନି,ସାମବେଦ- ବୈଶମ୍ପାୟନ ଓ ଅଥର୍ବ ବେଦ- ସୁମନ୍ତ ଆଦି ଋଷିମାନଙ୍କୁ ଯଥାକ୍ରମେ ଚାରୋଟି ଭାଗ ବା ବ୍ୟାସ କରି ସେମାନଙ୍କୁ ପ୍ରଚାର ପ୍ରସାର ପାଇଁ ଦାୟିତ୍ୱ ଦେଇଥିବାରୁ ମହର୍ଷି ବ୍ୟାସଙ୍କ ନାମ ବେଦବ୍ୟାସ ମଧ୍ୟ କୁହାଯାଏ। କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର କୃତି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା। ପରିଶେଷରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts