‘ଏସ୍.ଏ.କରିମ୍ ସ୍ମୃତି କମିଟି’ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ସମାଜସେବୀ ତଥା ଲୋକପ୍ରିୟ ଶ୍ରମିକନେତା ଶେଖ୍ ଅବଦୁଲ କରିମଙ୍କ ବିୟୋଗରେ ତାଙ୍କର ପ୍ରିୟ ବିଦ୍ୟାଳୟ ସିନ୍ଦୁରିଆ ହାଇସ୍କୁଲ ପରିସରରେ ଖ୍ୟାତନାମା ସାହିତ୍ୟିକ ନାଟ୍ୟ ଭୁଷଣ ଡ଼ଃ ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଚଳିତ ଜୁଲାଇ ୨୧ରେ ‘ଏସ୍.ଏ.କରିମ୍ ସ୍ମୃତି କମିଟି ‘ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପଟ୍ଟଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ନୀରବ ଶ୍ରଦ୍ଧାଞ୍ଜଳି ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ଶ୍ରମିକନେତା, ମୁରବିଶ୍ରେଣୀର ପ୍ରତିନିଧି, ଦିବଙ୍ଗତ କରିମଙ୍କ ସହପାଠୀମାନେ ତାଙ୍କର ଉତ୍ସର୍ଗୀକୃତ ନୀତିନିଷ୍ଠ ଜୀବନ, ସମାଜର ଶୋଷିତବର୍ଗ ମଣିଷମାନଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା, ତାଙ୍କ ସରଳ ନିରାଡମ୍ବର ଜୀବନ, ବନ୍ଧୁବତ୍ସଳତା ତାଙ୍କୁ ଅମର କରି ରଖିବ ବୋଲି ସ୍ମୃତିଚାରକମାନେ ବ୍ୟକ୍ତ କରିଥିଲେ।

ଆବାହକ ସାଥୀ ବିଶ୍ଵନାଥ ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନ କଲାପରେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ, କରିମଙ୍କ ସହପାଠୀ ପ୍ରାକ୍ତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ରବିନାରାୟଣ ମହାପାତ୍ର, ଶିକ୍ଷକ ନେତା ଏସ୍.ଏ.ଖାଲିକ୍ ଓ ଦୁର୍ଯ୍ୟୋଧନ ସାହୁ, ଶ୍ରମିକ ସଂଗଠନର ନେତୃତ୍ବ ଆଡଭୋକେଟ ଶରତଚନ୍ଦ୍ର ବେହେରା, ଆଡଭୋକେଟ ଗଙ୍ଗାଧର ପଣ୍ଡା, ସୁରେଶ ଚନ୍ଦ୍ର ସ୍ବାଇଁ, ମୂଲିଆ ୟୁନିଅନର ନେତା ନିତ୍ୟାନନ୍ଦ ପରିଡ଼ା, କୃଷକ ନେତା ଗୋଲକବିହାରି ମୁଦୁଲି, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, ସଂଯୁକ୍ତା ସେଠୀ, ଜୟନ୍ତୀ ଦାଶ, ନିର୍ମାଣ ଶ୍ରମିକନେତା ପବିତ୍ର ଇନ୍ଦ୍ରଜିତ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫେସର ଉମର ମଲ୍ଲିକ, ଗୀତାଞ୍ଜଳି ମହାପାତ୍ର, ଭକ୍ତବହ୍ଲବ ପଟ୍ଟନାୟକ, ପ୍ରଫେସର ବିଜୟ ରଥ,ଜନାବ ଶେଖ୍ ନଇମ୍, ନିରଞ୍ଜନ ନାୟକ, ବରିଷ୍ଠ ସାମ୍ବାଦିକ ଏସ୍.ଏ.ମନାନ୍, ଯୁବନେତା ସରୋଜ ନାୟକ ପ୍ରମୁଖ କରିମଙ୍କ ନିର୍ଭୀକ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପ୍ରକାଶଯୋଗ୍ୟ ଯେ ଏସ୍.ଏ.କରିମ୍ ମୃତ୍ୟୁ ପର୍ଯ୍ୟନ୍ତ ମାର୍କ୍ସବାଦରେ ବିଶ୍ଵାସ ରଖି ସି.ପି.ଆଇ.(ଏମ୍) ରେ ଯୋଗଦାନ ପୂର୍ବକ ନୟାଗଡ଼ରେ ନେତୃତ୍ବକାରୀ ଭୂମିକା ପାଳନ କରିଆସୁଥିଲେ।

Related posts