ସାମାନ୍ୟ ବର୍ଷାରେ ଉବୁଟୁବୁ ରାଜ୍ୟ ରାଜପଥ, ଅଭିଯୋଗ କଲେ ଶୁଣୁନି ପୂର୍ତ୍ତ ବିଭାଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମାନ୍ୟ ବର୍ଷାରେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଉବୁଟୁବୁ ହେଉଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ଅଞ୍ଚଳର ପଣ୍ଡା କ୍ଲିନିକ ନିକଟ ଦେଇ ଯାଇଥିବା ଏହି ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଅନେକ ସମୟରେ ଖରାପ ରାସ୍ତା ଯୋଗୁଁ ଅନେକ ଛୋଟମୋଟ ଦୁର୍ଘଟଣା ମାନ ଘଟୁଛି। ଏ ନେଇ ୧୧ ୱାର୍ଡବାସୀଙ୍କ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏଠାରୁ ମାତ୍ର ଅଧ କିଲୋମିଟର ଦୂରରେ ନୟାଗଡ଼ କଲେଜ ଅବସ୍ଥିତ ଥିବା ବେଳେ ଏହି ବାଟ ଦେଇ ଦୈନିକ ଯାଉଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ନୟାଗଡ଼ ଟ୍ରାଫିକ ଛକରୁ କୋଏନା ଢ଼ାବା ପର୍ଯ୍ୟନ୍ତ ଏହି ରାସ୍ତା ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯାଇଥିବା ବେଳେ କୋଏନା ଢ଼ାବା ଠାରୁ ଲେଙ୍କୁଡ଼ିପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲା ନାହିଁ। ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ପାଣିରେ ଉବୁଟୁବୁ ହେଉଥିବା ବେଳେ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related posts