ଶ୍ରମିକ ନେତା ଏସ୍.ଏ.କରିମଙ୍କ ଦେହାନ୍ତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବୀଣ ଶ୍ରମିକନେତା, ନିର୍ମାଣ ଶ୍ରମିକ, ପାଚିକା ଓ ଆଶାକର୍ମୀ ସଙ୍ଗଠକ ତଥା ସି.ପି.ଆଇ.(ଏମ୍) ନେତା ଏସ୍.ଏ.କରିମଙ୍କର ଜୁଲାଇ ୧୦ତାରିଖ ମଧ୍ୟ ରାତ୍ରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ମୃତ୍ୟୁ ପରେ ତାଙ୍କ ମରଶରୀରକୁ ସିନ୍ଦୁରିଆ ବାସଭବନକୁ ଅଣାଯାଇ ଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ଗ୍ରାମ କବର ସ୍ଥାନରେ ସମାଧୀ ଦିଆଯାଇଛି। ସମାଜସେବୀ ତଥା ଲୋକପ୍ରିୟ କରିମଙ୍କୁ ଶହଶହ ଅଞ୍ଚଳବାସୀ, ଆତ୍ମୀୟସ୍ଵଜନ, ଆଶା ଓ ପାଚିକା କର୍ମୀ, ସିଟୁ ଶ୍ରମିକ ସଂଗଠନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ, ରକ୍ତପତାକା ଅର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶ୍ରମିକ ନେତା ତଥା କରିମଙ୍କ ଘନିଷ୍ଠ ସହଯୋଗୀ ବିଶ୍ଵନାଥ ମହାପାତ୍ର, ଶରତ ଚନ୍ଦ୍ର ବେହେରା, ଗୋଲକ ବିହାରି ମୁଦୁଲି, ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ପବିତ୍ର ଇନ୍ଦ୍ରଜିତ, ଗଙ୍ଗାଧର ପଣ୍ଡା, ଚାପଧାରୀ ରାଉତ, ଜୟନ୍ତୀ ଦାଶ, ଜ୍ୟୋତିପ୍ରଭା ଜେନା, ସଂଯୁକ୍ତା ସେଠୀ, ଅଧିକାରୀ ବେହେରା ପ୍ରମୁଖ ଶେଷ ସମ୍ମାନ ଜଣାଇ ଶୋକ ବ୍ୟକ୍ତ କରିଛନ୍ତି।

ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲୋକନାଥ ସାଥୁଆ, ଶିକ୍ଷାବିତ ଅଶୋକ ନାୟକ, ସାମ୍ବାଦିକ ନିଶିକାନ୍ତ ରଥ ପ୍ରମୁଖ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସାଥୀ କରିମ୍ ସିଟୁର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, ସି.ପି.ଆଇ.ଏମ୍ ର ଆଞ୍ଚଳିକ ସଂପାଦକ ଥିଲେ। ଶ୍ରମିକ ସଂଗଠନ ପାଇଁ ତାଙ୍କର ଉତ୍ସର୍ଗୀକୃତ ସାଧନା, ସାମାଜିକ ଦାୟବଦ୍ଧତା,ସରଳ ତଥା ନିଷ୍ଠାପର ଜୀବନ ପାଇଁ ସିଏ ଅମରହୋଇ ରହିବେ ବୋଲି ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି ! ସାଥୀ କରିମ୍ ଙ୍କ ବିୟୋଗରେ ନୟାଗଡ଼ ଜଣେ ନିଷ୍ଠାବାନ ତଥା ପ୍ରତିଶ୍ରୁତିବଦ୍ଧ ଶ୍ରମିକନେତାଙ୍କୁ ହରାଇଲା ବୋଲି ନୟାଗଡ଼ର ବିଧାୟକ ଡଃ ଅରୁଣ କୁମାର ସାହୁ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

Related posts