ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାର ପଥର’ର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାରପଥର’ର ପାଠକୀୟ ଚର୍ଚ୍ଚା ଜୁଲାଇ୬ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ନୀଳମାଧବ କଲ୍ୟାଣ ମଣ୍ଡପ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସାହିତ୍ୟପ୍ରେମୀଙ୍କ ଗହଣରେ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ସାରସ୍ଵତ ସାଧକ ତଥା ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା ରଖିବା ସହିତ ବିଚାରପଥର ଉପନ୍ୟାସର ସଫଳ ପାଠକୀୟ ସ୍ଵୀକୃତି ଉପରେ ଆଲୋକପାତ କରିଥିଲେ। ହଜିଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ଲୋକପ୍ରିୟ ସାହିତ୍ୟସୃଷ୍ଟିରେ ଶ୍ରୀ ମହାପାତ୍ର ଜଣେ ଧୂରୀଣ ସାରସ୍ଵତ ସାଧକ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟସ୍ରଷ୍ଟା ଶ୍ରୀ ନିରଞ୍ଜନ ସାହୁ ସମାଜର ବିବର୍ତ୍ତନରେ ରଚନାତ୍ମକ ସାହିତ୍ୟର ଭୂମିକା ଉପରେ ଆଲୋଚନା ରଖିବା ସହିତ ଏହାକୁ ମତବାଦରୁ ଉର୍ଦ୍ଧ୍ବରେ ମାନବବାଦ ଆଡ଼କୁ ଆଗେଇ ନେବାପାଇଁ ଆହ୍ଵାନ ରଖିଥିଲେ। ପୁସ୍ତକର ସମୀକ୍ଷକ ଅଧ୍ୟାପକ ଡଃ ଆଶୁତୋଷ ମିଶ୍ର ବିଚାରପଥର ଉପନ୍ୟାସର ସଫଳ ଚରିତ୍ର ସଂରଚନା, ବିଷୟବସ୍ତୁର ଉତ୍କର୍ଷତା, ଉପାଦେୟ ଦିଗନିର୍ଦ୍ଦେଶ, ଉତ୍କଣ୍ଠା ଉଦ୍ରେକକାରୀ କାହାଣୀର ଉପସ୍ଥାପନା ଓ ଲେଖକଙ୍କ ଦୃଢ଼ ଶ୍ରେଣୀଗତ ଅବସ୍ଥାନ ସମ୍ପର୍କରେ ବିଷଦ ଆଲୋଚନା ରଖିଥିଲେ। ରଞ୍ଜୁବାଳା ପ୍ରକାଶନୀ ର ମୁଖ୍ୟ ଶରତଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ଵାଗତ ସମ୍ଭାଷଣ ରଖିଥିଲେ। ଏହି ସାରସ୍ଵତ କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ଓ ପ୍ରବୀଣ ଶିକ୍ଷାବିତ ପ୍ରଫେସର ଡ଼ଃ ମାଧବ ଚନ୍ଦ୍ର ମିଶ୍ରଙ୍କୁ ମାନଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଆଲୋଚନାଚକ୍ରରେ ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀବୃନ୍ଦାବନ ମହାପାତ୍ର, ଡଃ ସୁକାନ୍ତୀ ମହାନ୍ତି ପ୍ରମୁଖ ବିଚାରପଥର ଉପନ୍ୟାସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସୁକାନ୍ତି ମହାନ୍ତିଙ୍କ ପୁସ୍ତକ କୃଷ୍ଣଚୂଡ଼ାର ରଙ୍ଗ ଉନ୍ମୋଚିତ ହୋଇଥିଲା।

Related posts