ପ୍ରଥମ ବର୍ଷର ରଥଯାତ୍ରାକୁ ନେଇ ଉତ୍ସାହିତ ସାତପାଟଣା ବାସୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାବୀରକ୍ଷେତ୍ର କୁଞ୍ଜବନ ଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ ପତିତ ପାବନ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରା କୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।ବିଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ଵତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକ ମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା ।ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁ ଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକ ମାନଙ୍କ ଦ୍ବାରା ରଥ କାର୍ଯ୍ୟ ଆୟମାରମ୍ଭ ହୋଇଥିଲା ।ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ସିଂହାସନ ପାରାଭାଡି ପର୍ଯ୍ୟନ୍ତ ସମାପିତ ହୋଇସାରିଥିବା ବେଳେ ଆସନ୍ତା ଆଷାଢ଼ ଅମାବାସ୍ୟା ବା ଉଭା ଅମାବାସ୍ୟା ସୁଦ୍ଧା ରୂପକାର ସେବକ ମାନଙ୍କ ଦ୍ଵାରା ରଙ୍ଗକାମ , ସାରଥି,ଅଶ୍ଵ,ପାର୍ଶ୍ଵ ଦେବାଦେବୀ ଓ କନା , ଜରୀ,ଜମ୍ବୁରା କାମ ସମାପନ ହେବ ବୋଲି ଆଶା କରାଯାଉଛି ।ପରିଚାଳନା କମିଟି ସଦସ୍ୟ ଙ୍କ କହିବା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପଦଳନ ରଥ କୁ କେବଳ ମହିଳା ମାନେ ଟାଣିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ୪ ବେଦ ଆଧାରରେ ୩ ଗୋଟି ରଥର ୪ ଟି ଲେଖାଏଁ ଚକ ରହିଅଛି ।୩ ରଥର ବାଡ଼ଗ୍ରାହି ସେବକ ମାନେ ଏହି ରଥକୁ ପରିଚାଳନା କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।ଏହି ବର୍ଷ ନେତ୍ରତ୍ସବ , ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ରୀତିନୀତିରେ କିଛିଟା ବିଳମ୍ବ ହେବବୋଲି ପୂର୍ବାନୁମାନ କରାଯାଉଛି ।ଏହି ଦିବସରେ ମଧ୍ୟ ନୂତନ ଗୁଣ୍ଡିଚା ମଣ୍ଡପ ପ୍ରତିଷ୍ଠା କରାଯିବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଦଶପଲ୍ଲା ସାତପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଏହି ନବଦିନାତ୍ମକ ଯାତ୍ରାରେ ମାଉସୀ ମାଆ ମନ୍ଦିରରେ ନବଦିନ ବ୍ୟାପୀ ଅର୍ଣ୍ଣବ୍ୟଞ୍ଜନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ପ୍ରବଚନ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି । ବାହୁଡା଼ ଦିବସରେ ପୋଡ଼ାପିଠାର ଏନ୍ତୁଡ଼ିଶାଳ ଜରିପାଟଣା ସ୍ଥିତ ବିଦ୍ୟାଧର ସାହୁଙ୍କ ବାସ ଭବନ ଠାରେ ନବରତ୍ନ ଛେନାପୋଡ଼ପିଠା ଲାଗି ହେବବୋଲି କର୍ମକର୍ତ୍ତା ମାନେ କହିଛନ୍ତି ।

Related posts