ଆସନ୍ତାକାଲି ଆସିବେ ନବୀନ, ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ପ୍ରଚାର ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉଦ୍ଦେଶ୍ୟରେ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । ଆସନ୍ତାକାଲି ଅର୍ଥାତ ୨୨ତାରିଖରେ ଷ୍ଟାଡିୟମ ପଡ଼ିଆଠାରେ ଅନୁଷ୍ଠିତ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟାର ପ୍ରଚାରକ ଭି. କେ ପାଣ୍ଡିଆନ୍ ଯୋଗ ଦେବାର ସୂଚନା ମିଳିଛି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ୨୩ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୨ ତାରିଖ ନୟାଗଡ଼ରେ ଅନୁଷ୍ଠିତ ବିଶାଳ ଜନସମାବେଶ ବେଶ ଗୁରୁତ୍ୱ ବହନ କରୁଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅଭୂତ ପୂର୍ବ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଅନେକ ଜନହିତକର ଯୋଜନାର ଉପକାର ଲୋକମାନେ ସଠିକ ଭାବେ ପାଉଛନ୍ତି ।

ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ମଧୁବାବୁ ପେନସନ୍ ଯୋଜନା ଦ୍ୱାରା ବହୁ ହିତାଧିକାରୀ ଉପକୃତ ହେଉଛନ୍ତି । ନୟାଗଡ଼ ବିକାଶକୁ ଆଗେଇ ନେବାର କର୍ଣ୍ଣଧାର ସାଜିଥିବା ନେତା ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚଳିତ ନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ଭାବେ ପୁରୀ ସାଂସଦ ପ୍ରାର୍ଥୀ ଭାବେ ଡେଲାଙ୍ଗ ମାଟିର ପୁଅ ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନରେ ରହିଛନ୍ତି । ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପାଇଁ ମୁଖ୍ୟମନ୍ତ୍ରୀ ନୟାଗଡ଼ ଆସିବେ ବୋଲି ଜଣାଯାଇଛି । ଏହି ସମାବେଶରେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଉପସ୍ଥିତ ରହିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ, ଓଡ଼ଗାଁ ବ୍ଲକ ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦର ଜନସାଧାରଣ ଏହି ସମାବେଶରେ ସାମିଲ ହେବାକୁ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁ ନିବେଦନ କରିଛନ୍ତି ।

Related posts