ରାସ୍ତା ପ୍ରଶସ୍ତିକରଣ ଆଳରେ ମନଇଚ୍ଛା ଗଛ କଟାକୁ ବିରୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ଛକ ଠାରୁ ପୁରୁଣା ସହର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଭିଆଇପି ରୋଡ଼ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ତେବେ ପ୍ରଶସ୍ତିକରଣ ଆଳରେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ନୂଆ ପୁରୁଣା ସମସ୍ତ ଗଛ ଗୁଡ଼ିକୁ ମନ ଇଚ୍ଛା କଟା ଚାଲିଛି। ଏପରି କି ଦେଢ଼ଶହ ଦୁଇଶହ ବର୍ଷର ପୁରୁଣା ଆମ୍ବ, ଚାକୁଣ୍ଡା, ଲିମ୍ବ, ବରଗଛ ଆଦିକୁ ନିର୍ବିଘ୍ନରେ କଟା ଚାଲିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ମାସ ତଳେ ଏହି ଗଛକଟାକୁ ବିରୋଧ କରି ପରିବେଶବିତ ମାନେ ଜିଲାପାଳ, ଡିଏଫଓ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଜିଲା ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀ ଓ ଗ୍ରୀନ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ ଶାଖାଙ୍କୁ ଫେରାଦ୍ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗଛ କଟା ବନ୍ଦ ରହିଥିଲା। ଏବେ ପୁଣି ଅତି ଚାଲାକର ସହିତ ରାତି ଅଧିଆ ଗଛ କଟା ଚାଲିଛି। ପ୍ରତ୍ୟହ ରାତିରେ ଦୁଇ ତିନୋଟି ଲେଖାଏଁ ପୁରୁଣା ଗଛ ଗୁଡିକ କଟା ଯାଉଛି। ଏହାକୁ ନେଇ ପରିବେଶବିତ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଯେଉଁଠାରେ ଗଛ ରାସ୍ତାକୁ ଅବରୋଧ କରୁଛି ସେଠାରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଇ ଗଛକୁ ସୁରକ୍ଷା ଦିଆଯାଉ। ଗଛ ସୁରକ୍ଷିତ ହେଲା ପରେ ରାସ୍ତା ନିର୍ମାଣ ହେଉ।

ତେବେ ବୈଜ୍ଞାନିକ ପଦ୍ଧତି ନ ଆପଣେଇ ଠିକଦାର ରାସ୍ତାର ଦୁଇ ପାର୍ଶ୍ବରୁ ମନଇଚ୍ଛା ଗଛ କଟା ଚାଲୁ ରଖିଛି। ଗଛ କଟାକୁ ବିରୋଧ କରି ଭାରତ ବିକାଶ ପରିଷଦ, ନୟାଗଡ଼ ଆକ୍ସନ ଗ୍ରୁପ,ନାଗରିକ ମଞ୍ଚ ପ୍ରମୁଖ ପୁନର୍ବାର ନୟାଗଡ଼ ଜିଲ୍ଲାପାଳ ଏବଂ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟି ଉଦବେଗ ପ୍ରକାଶ କରିଥିବା ବେଳେ ଗଛ କଟା ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ କରିବା ପାଇଁ ପରିବେଶବିତ ହରି ଶରଣ ମହାରାଜ, ସୁକାନ୍ତ ଚୌଧୁରୀ, ଦାମୋଦର ସାହୁ, ଅନାଦି ଚରଣ ମହାନ୍ତି, ଉଦୟନାଥ ନାୟକ, କାମାକ୍ଷା ଦାଶ, ବିଭୁ ପ୍ରସାଦ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

Related posts