ଇଲେକସନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ, ୧୦ ବର୍ଷ ଭିତରେ ଓଡ଼ିଶାର ୮୦ ଲକ୍ଷ ଚାକିରୀ ଗଲା କୁଆଡେ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ଠାରେ ପ୍ରଚାର କରିଛନ୍ତି। ଓଡ଼ଗାଁ ମହୋତ୍ସବ ପଡିଆରେ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଦିଅନ୍ତି। ମୁଖ୍ୟମନ୍ତ୍ରୀ ଭୋଟ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରନ୍ତି। କିନ୍ତୁ ବିରୋଧୀ ଦଳ ନିର୍ବାଚନ ଆସିଲେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି।

ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ। ଶଙ୍ଖ ଚିହ୍ନକୁ ଓଡିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରି ଶ୍ରୀ ପାଣ୍ଡିଆନ କହିଲେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ସର୍ମପିତ ଭାବେ କାମ କରିଚାଲିଛି। ବିଜେପି ଦଳର ନିର୍ବାଚନୀ ପ୍ରତିଶୃତି ସଂପର୍କରେ ସ୍ମରଣ କରାଇଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତି ଆଜି ପ୍ରତାରଣାରେ ପରିଣତ ହୋଇଛି। ୧୦ ବର୍ଷ ଭିତରେ ଓଡିଶାର ୮୦ ଲକ୍ଷ ଚାକିରୀ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ଠିକ ସେହିପରି ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ସମ୍ପର୍କରେ କହିବା ସହ ଇଲେକ୍ସନ ଆସିଲେ ବିରୋଧୀ ଦଳଙ୍କ ଚାଷୀ କଥା ମନେପଡେ ଓ ଏମଏସପି ଦୁଇ ଗୁଣ କରିବା କଥା କୁହନ୍ତି ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। ଅନ୍ୟପକ୍ଷେ ଓଡ଼ଗାଁର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଅନୁମୋଦନ କରିଛନ୍ତି। ଲୋକଙ୍କ ପ୍ରସ୍ତାବକ୍ରମେ ରଘୁନାଥ ଜୀଉ ମନ୍ଦିର ୩ କୋଟି ୫୦ ଲକ୍ଷ, ଦୁତିକେଶ୍ବର ମନ୍ଦିର ୫ କୋଟି ଓ ବରକନ୍ୟା ଝରଣାର ଉନ୍ନତି ପାଇଁ ୪ କୋଟି ୪୨ ଲକ୍ଷ ଦିଆଯାଇଛି। ଓଡ଼ଗାଁ ବସଷ୍ଟାଣ୍ଡ ପାଇଁ ୧୧ କୋଟି ସମେତ ଏହାସହିତ ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମତ୍ସଦର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି।


ଶ୍ରୀ ପାଣ୍ଡିଆନ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବାପାଇଁ ନିବେଦନ କରିଥିଲେ। ଡବଲ ଇଞ୍ଜିନ ବାର୍ଦ୍ଧକ୍ୟ ଭତ୍ତା ୩୦୦ ଟଙ୍କା ହୋଇଥିବାବେଳେ ନବୀନ ଇଞ୍ଜିନ ଭତ୍ତା ୧୦୦୦ ଟଙ୍କା ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ ଯେ ମିଶନ ଶକ୍ତି, ମମତା ଓ କାଳିଆ ଯୋଜନା କିଏ କରିଛନ୍ତି ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ? ଏହାର ଉତ୍ତରରେ ଜନସାଧାରଣ ନବୀନ ପଟ୍ଟନାୟକ ବୋଲି କହିଥିଲେ। ଠିକ ସେହିପରି ଅରୁପ ବାବୁ ଜଣେ ସାମାଜିକ କର୍ମୀ ଓ ଅରୁଣ ବାବୁଙ୍କୁ ଲୋକଙ୍କ ପାଇଁ କାମ ଆଦାୟର ଶୈଳୀ ଭଲ ଭାବରେ ଜଣା ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଅରୁଣ ବାବୁ ବହୁତ ଦକ୍ଷତାର ସହ କାମ କରିଥାନ୍ତି।

ବିଜୁ ଜନତା ଦଳ ୬୦ ହଜାର ମାର୍ଜିନରେ ଉଭୟ ଅରୁଣ ସାହୁ ଓ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଡ଼. ଅରୁଣ କୁମାର ସାହୁ କହିଥିଲେ, ମୁଁ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ମୁଲିଆ, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ବାସ୍ଥ୍ୟ ସଂଜୀବନି ପାଲଟିଛି ବୋଲି କହିଥିଲେ। ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଇରାନୀ ରାୟ, ବିରଜାଲକ୍ଷ୍ମୀ ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଦିବାକର ନାୟକ, ସୁର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ୧୦ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ସାମିଲ ହୋଇଥିଲେ।

Related posts