ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବାଦ ଓ ଆମ ଓଡିଶା ପରିବାର ତରଫରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିଛବିରେ ଧୂପପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମଧୁବାବୁଙ୍କ ପରି ସ୍ବାଭିମାନ ଭାବେ ଜୀବନ ଧାରଣ କରିବା ପାଇଁ ଉଦବୋଧନ ଦେଇଥିଲା ବେଳେ ବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ ଆଲୋଚନା କରିବା ସହିତ “କାଳିଆ ଘୋଡାରେ ଚଢିବି ମଧୁ ବାବୁ ସଙ୍ଗେ ଲଢିବି ” ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଥିଲେ। ମଧୁବାବୁଙ୍କ ସଂଘର୍ଷ ମୟ ଜୀବନ କିପରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସହାୟକ ହୋଇଥିଲା, ସେ ବିଷୟରେ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦ ଖବରକାଗଜର ଜିଲ୍ଲା ପ୍ରତିନିଧି ସନ୍ଦୀପ କୁମାର ଲେଙ୍କା ସ୍ବାଗତ ଭାଷଣ ଦେଇଥିଲା ବେଳେ ବରିଷ୍ଠ ସାମ୍ବାଦିକ ତଥା କନକ ଟିଭିର ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ କୁମାର ରଥ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଯୋଗଦେଇ ଥିଲା ବେଳେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ଯା ମାନେ ସହଯୋଗ କରିଥିଲେ।

Related posts