ସାଧାରଣ ନିର୍ବାଚନ:ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍‌ବେଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ମେ’ ମାସ ୨୦ ଏବଂ ୨୫ ତାରିଖରେ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା କାର୍ଯ୍ୟ ସମାପନ ହୋଇଛି । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼,ଦଶପଲ୍ଲା,ରଣପୁର ଏବଂ ଖଣ୍ଡପଡ଼ା ପାଇଁ ସମୁଦାୟ ୯୩୭ଟି ବୁଥ୍ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥ୍ ପାଇଁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୁଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଏଥି ମଧ୍ୟରୁ ମହିଳା ମାନଙ୍କ ପାଇଁ ୧୨୦ଟି ପିଙ୍କ୍ ବୁଥର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ ସୁରକ୍ଷା କର୍ମୀ,ଜଣେ ବିଏଲଓଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ପୂର୍ବରୁ ପ୍ରଚଳିତ ନିୟମକୁ ବଦଳାଇ ଚଳିତ ବର୍ଷ ଭୋଟ ଗ୍ରହଣର ମାତ୍ର ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିୟମ କରାଯାଇଥିବା ବେଳେ ଏହାକୁ ନେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭୋଟ ଗ୍ରହଣର ଦିନକ ପୂର୍ବରୁ ପୋଲିଂ ଅଫିସରମାନେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଇଭିଏମ ସହିତ ଭୋଟ କାଗଜପତ୍ର ଗ୍ରହଣ କରି ଭୋଟଦାନ କେନ୍ଦ୍ରକୁ ଯିବେ । ଅନ୍ୟପକ୍ଷରେ ବଣ ପାହାଡ଼ ଘେରା ନୟାଗଡ଼ ଜିଲ୍ଲାରେ ଅନେକ ଦୂର୍ଗମ ଅଞ୍ଚଳ ରହିଥିବା ବେଳେ ଏହି ସବୁ ସ୍ଥାନକୁ ଗାଡ଼ି ମଟରତ ଦୂରର କଥା ପାଦଚଲା ରାସ୍ତା ମଧ୍ୟ ନାହିଁ । ଦଶପଲ୍ଲା ଅଞ୍ଚଳର ଛାମୁଣ୍ଡିଆ, କଳସାଖମଣ, ବଡ଼ସିଲିଙ୍ଗା,ଚଢ଼େଇଆ ପଲ୍ଲୀ, ବାଣିଗୋଛା, ଟାକେରା ଆଦି ପଞ୍ଚାୟତରେ ଅନେକ ଦୂର୍ଗମ ଅଞ୍ଚଳ ରହିଥିବା ବେଳେ ଏହି ସବୁ ସ୍ଥାନ ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ଶହେରୁ ଦେଢ଼ଶହ କିଲୋମିଟର ଦୂରରେ ଅବସ୍ଥିତ । ନିର୍ବାଚନ ପୂର୍ବଦିନ ଏହିସବୁ ସ୍ଥାନରେ ପହଞ୍ଚିବା ବେଳକୁ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟ ହୋଇଯିବାର ବହୁ ସମ୍ଭାବନା ଥିବାବେଳେ ଭୋଟ ଗ୍ରହଣ ପାଇଁ ଆବଶ୍ୟକ ଖାଦ୍ୟପେୟ ତଥା କାଗଜପତ୍ର ଏବଂ ଭୋଟକେନ୍ଦ୍ର ପ୍ରସ୍ତୁତି କେତେ ବେଳେ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ପୋଲିଂ ଅଫିସରମାନେ । ଅନ୍ୟପକ୍ଷରେ ଭୋଟ ଗ୍ରହଣ ଦିନ ୭ଟାରୁ ଆରମ୍ଭ ହୋଇ ନିରବଚ୍ଛିନ୍ନ ଭାବେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳ ସାଢ଼େ ୫ଟାରେ ମକ୍ ପୋଲିଂ କରାଯିବ । ଅର୍ଥାତ ପୋଲିଂ ଅଫିସରମାନେ ସକାଳ ୫ଟା ସୁଦ୍ଧା ନିଜ ନିତ୍ୟକର୍ମ ସାରି ଏବଂ ଖାଦ୍ୟପେୟ ଗ୍ରହଣ କରି ଭୋଟକେନ୍ଦ୍ରରେ ଉପସ୍ଥିତ ରହିବେ । ମଝିରେ କୌଣସି ବିରତି ନଥିବା ବେଳେ ଦିନସାରା ଉପବାସରେ ରହି ପୋଲିଂ ଅଫିସରମାନେ ଭୋଟକାର୍ଯ୍ୟ ସମାପନ କରିବାକୁ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଭୋଟ ଗ୍ରହଣ କାର୍ଯ୍ୟପରି ଏକ କଠିନ ଏବଂ ଦାୟିତ୍ୱ ସମ୍ପନ୍ନ୍ କାର୍ଯ୍ୟକୁ ପୋଲିଂ ଅଫିସରମାନେ ନିର୍ବାହ କରୁଥିବା ବେଳେ ଗୋଟେ ଦିନ ପୂର୍ବରୁ ଖୁବ କମ ସମୟ ମଧ୍ୟରେ କିପରି ନିଜକୁ ପ୍ରସ୍ତୁତ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପୋଲିଂ କର୍ମଚାରୀମାନେ । ତେବେ ପୂର୍ବ ନିର୍ବାଚନ ମାନଙ୍କରେ ପ୍ରଚଳିତ ଥିବା ନିୟମ ଅନୁସାରେ ଦୁଇଦିନ ପୂର୍ବରୁ ଭୋଟକେନ୍ଦ୍ରରେ ପହଞ୍ଚିବାର ବ୍ୟବସ୍ଥା ହେଲେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ସୁବିଧାଜନକ ହୋଇ ପାରନ୍ତା ବୋଲି ନିର୍ବାଚନ ପ୍ରଶିକ୍ଷଣ ନେଉଥିବା କର୍ମଚାରୀମାନେ ମତବ୍ୟକ୍ତ କରିଛନ୍ତି ।

Related posts