ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ପ୍ରତିଯୋଗୀମାନେ ଶାଳୀନତାଭିିକ ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ ଆଦି ପରିବେଷଣ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ବିନା ବାଦ୍ୟ ଯନ୍ତ୍ରରେ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ର ସହିତ ସଙ୍ଗୀତ ପରିବେଶଣ କରିବେ । ନୟାଗଡ଼ ବ୍ଲକ୍ ଏବଂ ଓଡ଼ଗାଁ ବ୍ଲକ୍ ପ୍ରତିଯୋଗୀମାନେ ନୟାଗଡ଼ଠାରେ, ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍‌ର ପ୍ରତିଯୋଗୀମାନେ ଦଶପଲ୍ଲାଠାରେ, ଖଣ୍ଡପଡ଼ା, ଭାପୁର ବ୍ଲକ୍‌ର ପ୍ରତିଯୋଗୀମାନେ ଖଣ୍ଡପଡ଼ା ଠାରେ ଏବଂ ରଣପୁର ବ୍ଲକ୍‌ର ପ୍ରତିଯୋଗୀମାନେ ରଣପୁର ଠାରେ ସ୍ଥିରୀକୃତ ହୋଇଥିବା କେନ୍ଦ୍ରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଭକ୍ତି ସଙ୍ଗୀତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବା ସହିତ ‘ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ କରାଯିବ । ଏଥିସହିତ ଦ୍ୱିତୀୟ ଏବଂ ତୃତୀୟ ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୩ ତାରିଖ ରବିବାର ଦିନ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର ପ୍ରତିଯୋଗୀମାନଙ୍କୁ ନେଇ ନୟାଗଡ଼ ସରସ୍ୱତୀ ଶିଶୁ ମନ୍ଦିରଠାରେ ଦିନ ୧୦ଟାରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତିଯୋଗୀମାନଙ୍କର ସକାଳ ୯ଘଟିକାରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ।

Related posts