ଓଡ଼ଗାଁରେ ୮କୋଟି ୩୦ଲକ୍ଷ ବ୍ୟୟରେ ୩ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସହରାଞ୍ଚଳର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି।୨୦୧୬ ମସିହାରେ ଓଡ଼ଗାଁ ଏନଏସି ଘୋଷଣା ପରଠାରୁ ଓଡ଼ଗାଁ ସହରାଞ୍ଚଳ ବିକାଶର ଦ୍ବାର ଦେଶରେ ଉପନୀତ ହୋଇଛି।ରାସ୍ତାଘାଟର ବିକାଶ ସହିତ ଅନ୍ୟାନ୍ୟ ବହୁ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏନଏସି ଅଞ୍ଚଳରେ ଥ‌ିବା ୧୫ ଗୋଟି ୱାର୍ଡର ସର୍ବାଙ୍ଗୀନ ବିକାଶ ସହିତ ସହରକୁ ସରସ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ପର୍ଯ୍ୟାପ୍ତ ଅନୁଦାନ ଦେଇଛନ୍ତି। ଯାହା ଫଳରେ ଓଡ଼ଗାଁ ଆଜି ଦ୍ରୁତ ପ୍ରଗତିଶୀଳ ସହର ଭାବରେ ପରିଗଣିତ ହୋଇଛି ବୋଲି ରବିବାର ଓଡ଼ଗାଁ ଏନଏସିରେ ୮ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଅଭିଭାଷଣ ରଖିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ।

ରବିବାର ଅପରାହ୍ନରେ ବିଧାୟକ ଡ. ସାହୁ ପ୍ରଥମେ ଓଡ଼ଗାଁ ମହୋତ୍ସବ ପଡିଆ ପାର୍ଶ୍ୱର୍ରେ ୩ କୋଟି ୯ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥ‌ିବା ୫ଶହ ସିଟ କ୍ଷମତା ବିଶିଷ୍ଟ ବହୁମୁଖୀ ଗୋଷ୍ଠୀ ଗୃହ(କଲ୍ୟାଣୀ ମଣ୍ଡପ)ର ଭିତ୍ତିପ୍ରସ୍ତର ସ୍ଥାପନ ପରେ ସେଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ୨କୋଟି ୨୨ଲକ୍ଷ ଟଙ୍କା ବ୍ୟୟରେ ଆଖୁପଦର ଆଦର୍ଶ ବିଦ୍ୟାଳୟ ନିକଟରେ ନିର୍ମାଣ ହେବାକୁ ଥ‌ିବା ୩୦୦ ଶହ ସିଟ କ୍ଷମତା ବିଶିଷ୍ଟ ଅନ୍ୟ ଏକ ବହୁମୁଖୀ ଗୋଷ୍ଠୀ ଗୃହ (କଲ୍ୟାଣୀ ମଣ୍ଡପ) ପାଇଁ ଶିଳାନ୍ୟାସ ସ୍ଥାପନ କରିଥିଲେ।ପରେ ଓଡ଼ଗାଁ ଜାରିଙ୍ଗି ପ୍ରକଳ୍ପ ପ୍ରାଇମେରୀ ସ୍କୁଲ ଠାରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଦ୍ବାରା ୨ କୋଟି ୯୯ ଲକ୍ଷ ଟଙ୍କାରେ ବ୍ୟୟରେ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।କାର୍ଯ୍ୟକ୍ରମରେ ନୟାଗଡ଼ ଉପଜିଲ୍ଲାପାଳ ତଥା ପ୍ରଶାସକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ ଶକ୍ତିକାନ୍ତ ରାୟଗ୍ରାମ ଉନ୍ନୟନ ଅଧ୍ୟକ୍ଷଣ ଯନ୍ତ୍ରୀ ହୃଷିକେଶ ବରାଳ ଏବଂ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକଙ୍କ ସହିତ ବହୁ ସଂଖ୍ୟାରେ ଜନପ୍ରତିନିଧୂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ଓଡ଼ଗାଁ ସହରବାସୀ ଯେକୌଣସି ଋତୁ ଏବଂ ସମୟରେ ନିଜର ମାଙ୍ଗଳିକ କାର୍ଯ୍ୟ ଯଥା ବାର୍ଷିକୋତ୍ସବ,ବିବାହ,ବ୍ରତାଦି କାର୍ଯ୍ୟ ସୁରୁଖୁରୁରେ କରିପାରିବେ ବୋଲି ବିଧାୟକ କହିଥିଲେ ।

Related posts