“ଡାକ ମୁଣାରେ ଡଗରା” ଏକ ସଫଳ ଉପନ୍ୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ, ଡାକମୁଣାର ଡଗରା ଏକ ସମାଜଧର୍ମୀ ସୁଖପାଠ୍ୟ ଓ ସଂସ୍କାରମୂଳକ ସଫଳ ଉପନ୍ୟାସ ଓ ସମାଜକୁ ସୁଧାରିବା ପାଇଁ ଏହିଭଳି ବାସ୍ତବବାଦୀ ନିର୍ଭୀକ ସାହିତ୍ୟ ସୃଷ୍ଟି ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଜି ନୟାଗଡ଼ ବୁଦ୍ଧମଣ୍ଡପ ଯୋଗକେନ୍ଦ୍ରଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ମତପ୍ରକାଶ କରିଛନ୍ତି। ତୃତୀୟ ନୟନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ରଙ୍କ ଆବାହକତ୍ଵରେ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ. ବିଜୟ କୁମାର ଚୌଧୁରୀ ଉପନ୍ୟାସର ସଫଳ ଗତିକ୍ରମ, ବଳିଷ୍ଠ ଉପସ୍ଥାପନ ଶୈଳୀ, ଉତ୍କଣ୍ଠା ଉଦ୍ରେକ ବିଷୟବସ୍ତୁ ଓ ପ୍ରଭାବଶାଳୀ ବାର୍ତ୍ତା ଉପନ୍ୟାସଟିକୁ କାଳଜୟୀ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ।

ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଅଶୋକ କୁମାର ନାୟକ, ବ୍ୟଙ୍ଗକବି ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ ପ୍ରଧାନ, ଗାଳ୍ପିକ ତପନ ମହାପାତ୍ର, ଜନବାଦୀ ସମ୍ପାଦକ ଚକ୍ରଧର ପ୍ରଧାନ, ଶିଶୁ ସାହିତ୍ୟିକା ବସିରନ୍ ବିବି, ପ୍ରକାଶକ ଶରତ ଚନ୍ଦ୍ର ବେହେରା ପ୍ରମୁଖ ବିଶ୍ବନାଥ ମହାପାତ୍ରଙ୍କ ସାରସ୍ଵତ ସୃଷ୍ଟି ଉପରେ ଆଲୋଚନା କରି ଡାକ ମୁଣାର ଡଗରା ଓଡ଼ିଆ ଉପନ୍ୟାସ ଜଗତରେ ଏକ ମାଇଲ ଖୁଣ୍ଟ ହେବ ବୋଲି ମତବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲାର ଅନ୍ୟତମ ସାରସ୍ଵତ ପୁରୁଷ ଗୀତିକଳ୍ପ ହରିଶ୍ ପ୍ରଧାନଙ୍କୁ ଏହି ଅବସରରେ ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପରିଶେଷରେ ଶିକ୍ଷୟିତ୍ରୀ ମେନକା ଦେବୀ ଉପସ୍ଥିତ ଶତାଧିକ ସାହିତ୍ୟ ପ୍ରେମୀ କବି, ଲେଖକ ଓ ବୁଦ୍ଧିଜୀବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts