ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ  ୧୦ ଘଟିକା ସମୟରେ ଗୁଗୁଲ ମିଟ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସର୍ବପ୍ରଥମେ ସାଂସଦ କଟକ ଭତୃହରି ମହତାବ, ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଧାୟକ ଖଣ୍ଡପଡ଼ା ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ବୈଠକକୁ ସ୍ଵାଗତ ଜଣାଇଥିଲେ । ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ବୈଠକ ଡକାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ନୟାଗଡ଼ରେ କୋଭିଡର ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରି କହିଲେ ଯେ, ଖଣ୍ଡପଡ଼ା ଓ ଚାନ୍ଦପୁର ଠାରେ ଥିବା କୋଭିଡ୍ ହସପିଟାଲରେ ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି । ସେହିପରି କେଭିଡ୍‌ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ICU ବେଡ୍ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଯେଉଁମାନେ ହୋମଆଇସୋଲେସନରେ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କଂଟ୍ରୋଲ ରୁମକୁ ପରିଚାଳନା କରିବା ସହିତ ମୋବାଇଲ ଗୁଡ଼ିକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧୁକାରୀମାନଙ୍କୁ କହିଥିଲେ । ଗଣିଆ, ଛାମୁଣ୍ଡିଆ, ଭାପୁର ଆଦି ଅଂଚଳରେ ପାୱାର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓମାନେ ସଂପୃକ୍ତ ଫଚାୟତ ଅଧ୍ୟକ୍ଷ ଏବଂ ଅଧିକାରୀମାନଙ୍କୁ ଡକାଇ ପ୍ରତି ଶୁକ୍ରବାର ଦିନ ଏକ ଟାକ୍ସ ଫୋର୍ସ ମିଟିଙ୍ଗ୍ କରିବେ। ସେହିପରି ସି.ଡି.ଏମ.ଓ., ସି.ଡି.ଭି.ଓ. ଏବଂ ସି.ଏସ.ଓ ନିଜ ନିଜ କାର୍ଯ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ସ୍ଥାନରେ ଚୁଡ଼ା ଗୁଡ଼, ମହମବତୀ, ଦିଆସିଲ, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିଭଳି ସି.ଡି.ଏମ.ଓ. ଆବଶ୍ୟକୀୟ ଔଷଧପତ୍ର , ଓ.ଆର.ଏସ.
ପାଉଡର, ସାପ କାମୁଡ଼ା ଔଷଧ ଆଦି ମହଯୁଦ ରଖିବା ପାଇଁ କହିଥିଲେ । ସି.ଡି.ଭି.ଓ. ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବୈଠକରେ ବିବରଣୀ ପାଠ କରିବା ସହିତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସଜାଗ ରହିବା ନିମନ୍ତେ ସମସ୍ତ ପଦାକାରୀଙ୍କୁ କହିଥିଲେ । ସାଂସଦ କଟକ କହିଲେ ଯେ, କାହାକୁ ଟୀକା ଦିଆଯିବ, କେତେ ଟୀକା ଆଜି ସୁଦ୍ଧା ଆସିଛି ସେ ସଂପର୍କରେ ବିବରଣୀ ପ୍ରଦାନ କରିବା ପାଇଁ ବୈଠକରେ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନ ଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନମାନଙ୍କର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ପାଣି ପଶି ଯେପରି ଘରଦ୍ୱାର ଭାଙ୍ଗି ନ ଯାଏ ଗାଁଗୁଡ଼ିକ ବିପଦର ସମ୍ମୁଖୀନ ନ ହୁଏ ସେଥିପାଇଁ ଆବଶ୍ୟକ ସ୍ଥାନମାନଙ୍କରେ ଆଡ଼ିବନ୍ଧ ବ୍ୟବସ୍ଥା କରିବା ପାଇଁ ଶ୍ରୀଯୁକ୍ତ ମହତାବ କହିଥିଲେ । ଖଣ୍ଡପଡ଼ା ବିଧାୟକ ପାନୀୟଜଳ, ବିଦ୍ୟୁତ୍, ସାସ୍ଥ୍ୟ ବ୍ୟବସ୍ଥା ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଧିକାରୀମାନେ ମହାମାରୀ ସମୟରେ ମନୋବଳକୁ କମ ନ କରି ସଦା ସଜାଗ ରହି ଅନ୍ୟମାନଙ୍କୁ ସଜାଗ ହେବା ପାଇଁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ନଳକୂଅଗୁଡ଼ିକ ଶୀଘ୍ର ମରାମତି କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ । ବିଧାୟକ ଦଶପଲ୍ଲା ଗଣିଆ ବ୍ଲକରେ ସମ୍ଭାବ୍ୟ ବନ୍ୟା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ କରିଥିଲେ । ଦଶପଲ୍ଲା ବ୍ଲକରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଏବଂ କୋଭିଡ୍ ଟୀକା ହିତାଧିକାରୀମାନଙ୍କୁ ଯାଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ନିର୍ବାହୀ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

Related posts