ଫଟୋ ଶୁଟ୍

ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍

ବାହାଘର ଅଧାରେ ପଡ଼ି ରହିଚି।
ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।
ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।
ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।
ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।
ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି
ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!
ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ!

ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ ଦେଖିବାକୁ ଚାହାଁନ୍ତି। କେମିତି ପାଳନ କରା ଯାଉଛି ତାକୁ, ସେଇଟା ସେ ଜାଣିବାକୁ ଇଚ୍ଛୁକ।
ବହୁତ୍ ସମୟ ଧରି ଡାକ ଛାଡ଼ିବା ପରେ କିଏ ଜଣେ ନେଇଗଲା ତାଙ୍କୁ ସେଇ ଫଟୋ ଶୁଟ୍ ହେଉଥିବା ଜାଗାକୁ ।
ସେଇଠି ଯାଇ ବୁଢ଼ା ଦେଖିଲେ, ଯେତେକ ଜୁଆନ୍ ବୟସର କୁଣିଆ ଥିଲେ, ସମସ୍ତେ ସେଇଠି ଘେରି ରହିଛନ୍ତି।
ଏବେ ବୁଝିଲେ ସେ, ସେତେବେଳୁ ଡାକ ପକେଇ ଚାଲିଛନ୍ତି, ହେଲେ ଏଠିକି ତାଙ୍କୁ ନେଇ ଆସିବାକୁ କେହି ଦିଶୁ ନଥିଲେ କାହିଁକି! ସବୁ ତ ଏଠି ଗୁଡ଼ ଘରକୁ ପିମ୍ପୁଡ଼ି ଘେରି ରହିଲା ଭଳି ବେଢ଼ି ରହିଛନ୍ତି, ଆଉ ତାଙ୍କ କଥା ଶୁଣିଥାନ୍ତା କିଏ!

ଭିଡ଼ କାଟି ବଡ଼ କଷ୍ଟରେ ଭିତରକୁ ଯାଇ ଦେଖିଲେ ସେ ବଳି ଦବା ପାଇଁ ବ୍ୟବସ୍ଥା ହେଇଚି। ସେଇ ଯୂପକାଠ ଭିତରେ ମୁଣ୍ଡ ଗଳେଇ ରହିଛି ବର। ଆଉ ଚାରିପଟେ ଘେରି ରହିଥିବା ଭିଡ଼ ଜୋର୍ ଦାର୍ ତାଳି ମାରି ଉତ୍ସାହିତ କରୁଛନ୍ତି ତାକୁ। ଆଉ ସେଇ ଦୃଶ୍ୟକୁ ବିଭିନ୍ନ ପାର୍ଶ୍ବରୁ ବୁଲି ବୁଲି କ୍ୟାମେରାରେ ଫଟୋ ଉଠେଇ ଚାଲିଚି କ୍ୟାମେରାମ୍ୟାନ!

ଏ ଦୃଶ୍ୟ ଦେଖି ହତ ଚକିତ ବୃଦ୍ଧ ଜଣକ।
ଇଏ କଣ ହଉଚି! ଏବେ ଏବେ ତ ତାଙ୍କ ଗାଁ ରେ ମା ମଙ୍ଗଳାଙ୍କ ମନ୍ଦିରରେ ଦିଆ ଯାଉଥିବା ବଳୀକୁ ବନ୍ଦ କରିବାକୁ ଆସି ପୋଲିସ୍ ମନ୍ଦିରର ପୂଜାରୀକୁ ଉଠେଇ ନେଇ ଯାଇଥିଲା!
ଆଉ ଏଠି ବାହା ବେଦୀରୁ ବରକୁ ଉଠେଇ ଆଣି ବଳୀ ଦିଆ ହଉଚି, ଅଥଚ କିଏ ଜଣେ ପୋଲିସ୍ କୁ ଖବର ଦଉନି! ଓଲଟା ତାଳି ମାରି ଉତ୍ସାହିତ କରୁଛନ୍ତି!

ବରର ବାପା ମା କିଏ, ଆଉ ତାଙ୍କ ମତିଗତି କଣ ଜାଣିବାକୁ ଇଚ୍ଛା କରି ସେଇଠି ଉପସ୍ଥିତ ସମସ୍ତଙ୍କ ଉପରେ ଆଖି ବୁଲେଇ ଆଣିଲେ ବୃଦ୍ଧ। ଦେଖିଲେ ଗୋଟିଏ ପଟେ ଠିଆ ହେଇଥିବା ଦୁଇଜଣ ଦମ୍ପତ୍ତି ଆଉ ତାଙ୍କରି ପାଖରେ ଥିବା ଝିଅଟିଏ ହସୁଛନ୍ତି ତ, କିନ୍ତୁ ଅନ୍ୟମାନଙ୍କ ଭଳି ହସ ତାଙ୍କ ମୁହଁରେ ନାହିଁ। ସେଇ ହସଟା ତାଙ୍କୁ କାନ୍ଦିଲା ଭଳି ଜଣାଗଲା।
ବୁଝିଗଲେ ସେ, ଏଇମାନେ ତେବେ ପୁଅର ଘରଲୋକ ।
ଗୁଡ଼ାଏ ଟଙ୍କା ବିନିମୟରେ ପୁଅକୁ ବଳୀ ଚଢ଼େଇବା ପାଇଁ ରାଜି ତ ହେଇ ଯାଇଛନ୍ତି, ହେଲେ ଏବେ ପୁଅର ଏ ବିକଳ ଅବସ୍ଥା ଦେଖି ସମ୍ଭାଳି ପାରୁ ନାହାଁନ୍ତି।

ଆଉ ଆଗକୁ କିଛି ଦେଖି ନ ପାରି ଚୁପ୍ ଚାପ୍ ସେଇଠୁ ବାହାରି ଆସିଲେ ବୃଦ୍ଧ, ଆଉ ଭୋଜି ନଖାଇ ସିଧା ବାହାରି ଆସିଲେ ସେଇଠୁ।
କେଜାଣି ଘରମୁହାଁ ହେଲେ କି ପୋଲିସ୍ ଷ୍ଟେସନ୍ ମୁହାଁ??

lipilekhaa #ଲିପିଲେଖା

ShortStory #ମିନିଗଳ୍ପ

Mob- 9000418410

Related posts