ସାମୁହିକ ଛୁଟିରେ ଗଲେ ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ

ବିଦ୍ୟାଳୟରେ ଝୁଲିଲା ତାଲା, ମଧ୍ୟାହ୍ନ ଭୋଜନ ଏବଂ ପାଠପଢ଼ା ଠପ୍‌

ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଭୁବନେଶ୍ୱରର ଡାକରାରେ ଆଜିଠାରୁ ସମଗ୍ର ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସାମୁହିକ ଛୁଟି ନେଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତିନି ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଟି଼ ବ୍ଲକର ୧୦୬୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହେବା ସହିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ଆଜି ଅଧିକାଂଶ ବିଦ୍ୟାଳୟକୁ ପିଲାମାନେ ପାଠ ପଢ଼ିବାକୁ ଆସିଥିବା ବେଳେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖି ଫେରିଯାଇଛନ୍ତି । ଏପରିକି ଆଜି ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହୋଇ ପାରିନଥିବା ବେଳେ ପିଲାମାନେ ଭୋକ ଉପାସରେ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକମାନେ ରୋକ୍‌ଠେକ୍ ଶୁଣାଇ ଦେଇଛନ୍ତି । ଶିକ୍ଷକମାନଙ୍କ ଏହି ଦାବି ଗୁଡ଼ିକ ମଧ୍ୟରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଛଅ ବର୍ଷର ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ସହିତ ଏକ୍ସ କ୍ୟାଡର,କ୍ରୀଡ଼ା ଏବଂ କଳା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦକରି ପୁରୁଣା ପେନସନ ପ୍ରଚଳନ ଆଦି ରହିଛି । ଏହି ସମାନ ଦାବି ନେଇ ଗତବର୍ଷ ନଭେମ୍ବର ମାସରେ ଶିକ୍ଷକମାନେ ଭୁବନେଶ୍ୱର ରାଜରାସ୍ତାରେ ଦୀର୍ଘ ୪ଦିନ ଧରି ଅହୋରାତ୍ର ଧାରଣାରେ ବସିଥିଲେ । ସେହି ସମୟରେ ଶିକ୍ଷକମାନଙ୍କ ଏହି ସବୁ ନ୍ୟାର୍ଯ୍ୟଦାବି ଗୁଡ଼ିକ ଯଥାଶ୍ରୀଘ୍ର ପୂରଣ କରିବା ପାଇଁ ସରକାରଙ୍କ୍ ପକ୍ଷରୁ ମୁଖ୍ୟ ଶାସନ ସଚୀବ ପ୍ରତିଶୃତି ପ୍ରଦାନ କରିଥିଲେ ।

ତେବେ ଦୀର୍ଘ ଏକବର୍ଷ ସମୟ ବିତି ଯାଇଥିଲେ ସୁଦ୍ଧା ସରକାର ପ୍ରାଥମିକ ଶିକ୍ଷକମାନଙ୍କ ଦାବିପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ପ୍ରତିବାଦରେ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦିନ ତମାମ ଧାରଣା ଏବଂ ପ୍ରତିବାଦ ସଭା କରାଯାଇଥିଲା । ଶିକ୍ଷକମାନେ ଖରାବର୍ଷାକୁ ଖାତିର ନକରି ସରକାର ଶିକ୍ଷକମାନଙ୍କ ପ୍ରତି କରୁଥିବା ଅବିଚାର ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବା ସହିତ ତୁରନ୍ତ ସେମାନଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ବୁଦ୍ଧିଜୀବୀ,ଅଭିଭାବକ ଏବଂ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ଦାବି କରାଯାଇଛି ।

Related posts