ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳର ପକ୍ଷରୁ ଏକ ସାଂଗଠନିକ ଆଲୋଚନା ପର୍ବ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜେଡି କୃଷକ ଦଳ ସଭାପତି ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ । ବିଜୁ ଜନତା ଦଳ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ । ଗାଁର ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱତି କରିବା ଉପରେ କର୍ମୀଙ୍କ ମତ ଲୋଡ଼ିଥିଲେ । ସରପଞ୍ଚମାନେ କର୍ମୀଙ୍କ ସହ ଆଲୋଚନା କରି ହେବାକୁ ଥିବା ଉନ୍ନୟନ ମୂଳକ ଚିଠା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିକାଶ ମୂଳକ କାର୍ଯ୍ୟ ଶୀଖର ଛୁଇଁଥିବା ବେଳେ ବିଭିନ୍ନ ଗାଁକୁ ସହର ସୈାନ୍ଦର୍ଯ୍ୟ ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରିଥିଲେ । ଏହା ସହିତ ସରକାରଙ୍କ ଜନହିତକର ଯୋଜନା ଓ ଲୋକପ୍ରିୟତାକୁ ସୋସିଆଲ ମିଡିଆରେ ସକ୍ରିୟ ରହି ଆଲୋଚନାକୁ ଆଣିବାକୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, ବିଜୁ ଜନତା ଦଳ ଯୁବ ସଭାପତି ରମେଶ ସାହୁ, ବିଜୁ ଜନତା ଦଳ ଛାତ୍ର ସଭାପତି ନୀଳମାଧବ ପଣ୍ଡା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ମହିଳା ସଂଗଠନ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।
